ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦, ବିଶ୍ୱକପ୍ ସମ୍ଭାବ୍ୟଙ୍କୁ ସୁଯୋଗ ଦେବ ଟିମ୍ ଇଣ୍ଡିଆ

ଲକ୍ଷ୍ନୌ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଗୁରୁବାର ଠାରୁ ଆରମ୍ଭ ହେଉଛି । ବିଶ୍ୱକପକୁ ଆଉ ମାତ୍ର ୮ ମାସ ବାକି ରହିଥିବା ବେଳେ ଏହି ମେଗା ଇଭେଣ୍ଟ ପାଇଁ ଦାବିଦାର ଖେଳାଳିଙ୍କ ସଂଖ୍ୟା ବଢ଼ୁଛି । ଏହି ବିଶ୍ୱକପ୍ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଅଧିକ ପରୀକ୍ଷା କରିବାକୁ ଭାରତ କୁଣ୍ଠା ପ୍ରକାଶ କରିବ ନାହିଁ । ସେମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବ ଟିମ୍ ଇଣ୍ଡିଆ ।

ୱେଷ୍ଟଇଣ୍ଡିଜକୁ ୩-୦ରେ ମୂଳପୋଛ କରିବା ପରେ ଜବରଦସ୍ତ ଫର୍ମରେ ଥିବା ଭାରତ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଅନୁରୂପ ସଫଳତା ଲକ୍ଷ୍ୟରେ ରହିିଛି । ଫର୍ମ, ଅଭିଜ୍ଞତା ଓ ସାମର୍ଥ୍ୟକୁ ଦେଖିଲେ ରୋହିତ ଶର୍ମାଙ୍କ ଦଳ ଆଉ ଏକ ସିରିଜ୍ କ୍ଲିନ୍ ସୁଇପ୍ କରିବା କଷ୍ଟକର ହେବ ନାହିଁ । ତେବେ ଏହି ଉଦ୍ୟମରେ ଭାରତ ଆଗାମୀ ବିଶ୍ୱକପ୍ ପାଇଁ ଚାଲିଥିବା ପ୍ରସ୍ତୁତିକୁ ଅଣଦେଖା କରିବ ନାହିଁ । ବିଶ୍ୱକପ୍ ପୂର୍ବରୁ ଏହି ମେଗା ଇଭେଣ୍ଟ ପାଇଁ ସମ୍ଭାବ୍ୟ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଚାହିଁବ ଭାରତ । ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ଅନୁଷ୍ଠିତ ହେବ।

ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । କେଏଲ୍ ରାହୁଲଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ ମଧ୍ୟ ଆଘାତ କାରଣରୁ ଏହି ସିରିଜରେ ଖେଳିବେ ନାହିଁ । ଏହି ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଦଳରେ ନିଜ ସ୍ଥାନ ସୁଦୃଢ କରିବାକୁ ଇଶାନ କିଶନ, ଋତୁରାଜ ଗାଏକ୍ୱାଡ୍ ଓ ସଞ୍ଜୁ ସାମସନଙ୍କ ଭଳି ଯୁବ ଖେଳାଳିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କୋହଲିଙ୍କ ଅନୁପସ୍ଥିତିରେ ଶ୍ରେୟସ ଆୟରଙ୍କୁ ମଧ୍ୟ ବିଶ୍ୱକପ୍ ପାଇଁ ମିଡିଲ ଅର୍ଡରରେ ନିଜ ସ୍ଥାନ ପକ୍କା କରିବା ଲାଗି ସୁଯୋଗ ପ୍ରଦାନ କରିଛି । ସେ ଅଧିକରୁ ଅଧିକ ଓଭର ଖେଳିବା ସହ ଯଥାସମ୍ଭବ ବଡ଼ ସ୍କୋର କରିବା ପାଇଁ ଚାହିଁବେ ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି୨୦ରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବା ଗାଏକ୍ୱାଡ୍ ଓ ଶ୍ରେୟସ ଶ୍ରୀଲଙ୍କା ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ଲକ୍ଷ୍ୟରେ ରହିବେ । ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିିରିଜରେ ଭେଙ୍କଟେଶ ଆୟରଙ୍କ ମ୍ୟାଚ୍ ଫିନିଶ୍ କରିବା ଦକ୍ଷତା ଭାରତ ପାଇଁ ଏକ ବଡ଼ ସକାରାତ୍ମକ ସଙ୍କେତ ଥିଲା । ଯଦି ଏହି ଯୁବ ଅଲରାଉଣ୍ଡର ତାଙ୍କର ଏହି ପ୍ରଦର୍ଶନକୁ ଶ୍ରୀଲଙ୍କା ବିପକ୍ଷରେ ଦୋହରାଇବାରେ ସଫଳ ହୁଅନ୍ତି ଓ ନିଜ ବୋଲିଂରେ ମଧ୍ୟ ସୁଧାର ଆଣନ୍ତି, ତେବେ ବିଶ୍ୱକପ୍ ପୂର୍ବରୁ ଭାରତ ଖୋଜୁଥିବା ଅଲରାଉଣ୍ଡରଙ୍କ ସ୍ଥାନ ସେ ପୂରଣ କରିପାରିବେ ।

ଶ୍ରୀଲଙ୍କା ବିପକ୍ଷ ସିରିଜରୁ ସୂର୍ଯ୍ୟକୁମାର ଓ ଦୀପକ ଚହର ଆଘାତ କାରଣରୁ ବାଦ୍ ପଡ଼ିଥିବା ବେଳେ ଭେଙ୍କଟେଶ ଆୟରଙ୍କୁ ଶେଷ ୧୦ ଓଭରରେ ଇନିଂସ୍ ସମ୍ଭାଳିବାର ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ପଡ଼ିବ । ଦୀର୍ଘ ଦିନର ବ୍ୟବଧାନ ପରେ ସଞ୍ଜୁ ସାମସନ ଜାତୀୟ ଦଳକୁ ଫେରିଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବେ କି ନାହିଁ ଦେଖିବାକୁ ରହିଲା ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିଜ ଡେବ୍ୟୁ ସିରିଜରେ ସ୍ପିନର ରବି ବିଷ୍ଣୋଇ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ତାଙ୍କ ଠାରୁ ପୁଣି ଅନୁରୂପ ପ୍ରଦର୍ଶନର ଆଶା ରଖିବ ଟିମ୍ ଇଣ୍ଡିଆ । ବିଶ୍ରାମ ପରେ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ମଧ୍ୟ ଦଳକୁ ଫେରିଥିବାରୁ ବୋଲିଂ ଆକ୍ରମଣ ଆହୁରି ଶକ୍ତିଶାଳୀ ହୋଇଛି । ବୁମରାଙ୍କ ସହ ଭୁବନେଶ୍ୱର କୁମାର ଓ ମହମ୍ମଦ ସିରାଜଙ୍କୁ ନେଇ ଭାରତୀୟ ପେସ୍ ଆକ୍ରମଣ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ପାଇଁ ବିପଦ ସାଜିପାରେ ।

Comments are closed.