ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ରବିବାରଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟା‌ଚ ୱାଣ୍ଡରର୍ସଠାରେ ଖେଳାଯିବ। ହ୍ବାଇଟବଲ୍‌ ଫର୍ମାଟରେ ବିରାଟ କୋହଲି ଓ ରୋହିତ ଶର୍ମା ସେମାନଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସେମାନଙ୍କ ସ୍ଥାନ ପୂରଣ କରିବା ଲାଗି ଯୁବ ଖେଳାଳିଙ୍କୁ ନେଇ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି ଭାରତ । ଏଥିଲାଗି ପ୍ରସ୍ତୁତି ଏହି ୩ ମ୍ୟାଚ ବିଶିଷ୍ଟ ସିରିଜରୁ ଆରମ୍ଭ ହେବ ।

ଭାରତର ନେତୃତ୍ବ ନେବେ କେ.ଏଲ୍. ରାହୁଲ । ତାଙ୍କ ଉପରେ ସମସ୍ତଙ୍କ ଅଧିକ ନଜର ରହିବ। ରାହୁଲ ଅତୀତରେ ଭାରତର କାମଚଳା ଅଧିନାୟକ ଦାୟିତ୍ଵ ତୁଲାଇଛନ୍ତି। କିନ୍ତୁ ଏହି ସିରିଜରେ ଭଲ ପ୍ରଦର୍ଶନ କରିପାରିଲେ ବେଙ୍ଗାଲୁରୁର ଏହି ଖେଳାଳିଙ୍କୁ ଦୀର୍ଘ ଦିନ ପାଇଁ ଅନ୍ତର୍ଜାତୀୟ ଦିନିକିଆ ଦଳର ଅଧିନାୟକ ଦାୟିତ୍ଵ ମିଳିପାରେ। ରାହୁଲଙ୍କ ଭଳି ଋତୁରାଜ ଗାଏକ୍ୱାଡ ମଧ୍ୟ ନଜରରେ ରହିବେ। ଅସୁସ୍ଥତା ଯୋଗୁ ସେ ଟି୨୦ ସିରିଜରେ ଖେଳିପାରି ନ ଥିଲେ। ସୁସ୍ଥ ହେବା ପରେ ସେ ଏବେ ଦଳକୁ ଫେରିଛନ୍ତି। ସେହିପରି ଶ୍ରେୟସ ଆୟର ଅତୀତରେ ତାଙ୍କର ଦକ୍ଷତା ପ୍ରତିପାଦନ‌ କରିଛନ୍ତି। ଅନ୍ତର୍ଜାତୀୟ ଟି୨୦ରେ ରିଙ୍କୁ ସିଂ ତାଙ୍କର ପ୍ରଭାବୀ ପ୍ରଦର୍ଶନ ଦେଖାଇ ସାରିଛନ୍ତି। ରବିବାର ତାଙ୍କୁ ଅନ୍ତର୍ଜାତୀୟ‌ ଦିନିକିଆରେ ପଦାର୍ପଣ ସୁଯୋଗ ମିଳିପାରେ।

Comments are closed.