ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍, ୩୧ ବର୍ଷ ଅପେକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ଭାରତ

ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଠିକ୍ ୩୬ ଦିନ ପୂର୍ବେ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପରାଜୟର ନିରାଶାକୁ ଭୁଲି ଭାରତୀୟ ଦଳ ‘ଶେଷ‌ ଦୁର୍ଗ’ କୁହାଯାଉଥିବା ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ବିଜୟ ପାଇଁ ୩୧ ବର୍ଷ ଅପେକ୍ଷାର ଅନ୍ତ ଘଟାଇବାକୁ ଚାହିଁବ।

୧୯୯୨ ପରଠୁ ଦକ୍ଷିଣ ଆଫ୍ରିକାରେ ଏହା ଭାରତର ନବମ ଟେଷ୍ଟ ସିରିଜ୍ ହେବ, କିନ୍ତୁ ଏପର୍ଯ୍ୟନ୍ତ ଭାରତ ଏହି ଦେଶରେ ଥରେ ବି ସିରିଜ୍ ଜିତିପାରି ନାହିଁ । ଏହି କାରଣରୁ ସବୁଥର ପରି ଏଥର ସିରିଜକୁ ମଧ୍ୟ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ପାଇଁ ‘ଶେଷ ଦୁର୍ଗ’ କୁହାଯାଉଛି |

କିନ୍ତୁ ସୁପରପୋର୍ଟ ପାର୍କରେ ମ୍ୟାଚର ପ୍ରଥମ ଦୁଇ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ରହିଛି। ସେଞ୍ଚୁରିଅନ୍ ୱିକେଟରୁ ଗତି ଏବଂ ଅସମାନ ବାଉନ୍ସ ମିଳେ। ତେଣୁ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବା ସମ୍ଭାବନା ରହିଛି ।

ଦିନିକିଆ ବିଶ୍ୱକପରେ ରୋହିତ ଶର୍ମାଙ୍କ ପାଖରେ କପିଲ ଦେବ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ସମକକ୍ଷ ହେବାର ସୁଯୋଗ ରହିଥିଲା । କିନ୍ତୁ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ବିଶ୍ୱ ବିଜେତା ଅଧିନାୟକ ହେବା ରୋହିତଙ୍କ ସ୍ବପ୍ନ ଚୁରମାର୍ ହୋଇଥିଲା । ବର୍ତ୍ତମାନ ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବାର ସୁଯୋଗ ପାଇଛନ୍ତି ରୋହିତ। ସେ ଏହାକୁ ହାତଛଡ଼ା କରିବାକୁ ଚାହିଁବେ ନାହିଁ।

ମହମ୍ମଦ ଅଜହରୁଦ୍ଦିନ (୧୯୯୨), ସଚିନ ତେନ୍ଦୁଲକର (୧୯୯୬) ଏବଂ ସୌରଭ ଗାଙ୍ଗୁଲି (୨୦୦୧)ଙ୍କ ଅଧିନାୟକତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାରେ ବିଫଳ ହୋଇଥିଲା। ରାହୁଲ ଦ୍ରାବିଡ (୨୦୦୬-୦୭), ଧୋନି (୨୦୧୦-୧୧ ଏବଂ ୨୦୧୩-୧୪) ଏବଂ ବିରାଟ କୋହଲି (୨୦୧୮-୧୯ ଏବଂ ୨୦୨୧-୨୨) ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ୍ ଜିତିଥିଲେ ମଧ୍ୟ କଣସି ଦଳ ସିରିଜ୍ ଜିତି ନଥିଲେ।

Comments are closed.