ବାଂଲାଦେଶରେ ଲଗାତାର ଦ୍ବିତୀୟ ଥର ସିରିଜ୍ ହାରିଲା ଭାରତ 

ଢାକା: ମେହେଦୀ ହସନ୍ ମିରାଜଙ୍କ ଚମତ୍କାର ଶତକ ବଳରେ ବାଂଲାଦେଶ ଦ୍ୱିତୀୟ ଦିନିକିଆରେ ଭାରତକୁ ୫ ରନରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି । ବାଂଲାଦେଶରେ ଭାରତୀୟ ଦଳର ଏହା ହେଉଛି କମ୍ରାଗତ ଦ୍ୱିତୀୟ ଦିନିକିଆ ସିରିଜ୍ ପରାଜୟ । ଏହା ପୂର୍ବରୁ ଧୋନିଙ୍କ ନେତୃତ୍ୱରେ ୨୦୧୫ରେ ଭାରତ ୧-୨ରେ ସିରିଜ୍ ହାରିଥିଲା ।

ପ୍ରଥମ ମ୍ୟାଚରେ ଭାରତ ହାତରୁ ବିଜୟ ଛଡ଼ାଇ ଆଣିଥିବା ମିରାଜ୍ ଏଥର ମଧ୍ୟ ରୋହିତ ଶର୍ମାଙ୍କ ଦଳ ପାଇଁ କଣ୍ଟା ସାଜିଥିଲେ । ପ୍ରଥମ ଦିନିକିଆ ଭଳି ମିରାଜ୍ ପୁଣି ବାଂଲଦେଶକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଏକଦା ୬୯ ରନରେ ୬ଟି ୱିକେଟ ୍‌ହରାଇ ବିପଦରେ ପଡ଼ିଥିଲା । ହେଲେ ମିରାଜ୍ ଏକ ଲଢୁଆ ଶତକ ସହ ନିଜ ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ । ସେ ମାତ୍ର ୮୩ଟି ବଲରେ ୮ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୧୦୦ ରନ୍ କରିଥିଲେ । ଦିନିକିଆରେ ଏହା ତାଙ୍କର ପ୍ରଥମ ଶତକ ଥିଲା । ମିରାଜ ସପ୍ତମ ୱିକେଟରେ ମହମ୍ମୁଦୁଲ୍ଲା (୭୭)ଙ୍କ ସହ ୧୪୮ ରନର ଭାଗିଦାରୀ କରିଥିବା ବେଳେ ବାଂଲାଦେଶ ୬୯/୬ରୁ ମୁକୁଳି ୨୭୧/୭ କରିଥିଲା ।

ଏହି ଚ୍ୟାଲେଞ୍ଜିଂ ବିଜୟଲକ୍ଷ୍ୟର ଜବାବରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ୪୨ ଓଭର ବେଳକୁ ୨୦୭ ରନରେ ୭ଟି ୱିକେଟ୍ ହରାଇ ଦେଇଥିଲା । ତେବେ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ସହ ଦଳ ପାଇଁ ଆଶା ସଞ୍ଚାର କରିଥିଲେ । କିନ୍ତୁ ତାଙ୍କ ଉଦ୍ୟମ ବେକାର ହୋଇଥିଲା । ୨୭୨ ରନ୍ ଜବାବରେ ଭାରତ ୯ ୱିକେଟ୍ ହରାଇ ୨୬୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଆଙ୍ଗୁଠିରେ ଆଘାତ ଯୋଗୁଁ ରୋହିତ ଓପନିଂ କରିବା ପରିବର୍ତ୍ତେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଓ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ରୋହିତ ୨୮ଟି ବଲରେ ୩ଟି ଚୌକା ଓ ୫ଟି ଛକା ସହ ୫୧ ରନ୍ କରି ଅପରାଜିତ ରହିଥିଲେ ।

ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୨୦ ରନ୍ ଆବଶ୍ୟକ ହେଉଥିବା ବେଳେ ମୁସ୍ତାଫିଜୁର ରହମାନଙ୍କ ପ୍ରଥମ ୪ଟି ବଲରେ ରୋହିତ ଦୁଇଟି ଚୌକା ସହ ୮ ରନ୍ ସଂଗ୍ରହ କରିଥିଲେ । ଶେଷ ଦୁଇଟି ବଲରେ ଆଉ ୧୨ ରନ୍ ଦରକାର ହେଉଥିଲା । ରୋହିତ ପଞ୍ଚମ ବଲରେ ଏକ ଛକା ମାରିଥିଲେ । ତେବେ ଶେଷ ବଲରେ ମୁସ୍ତାଫିଜୁର ଚତୁରତାର ସହ ୟର୍କର ପକାଇ ରୋହିତଙ୍କୁ ଆଉ ଏକ ଛକା ମାରିବାରୁ ଅଟକାଇ ବାଂଲାଦେଶର ବିଜୟ ନିଶ୍ଚିତ କରିଥିଲେ ।

ଆଙ୍ଗୁଠି ଆଘାତ ଯୋଗୁଁ ରୋହିତ ଆଜି ଓପନିଂ କରିନଥିଲେ । ତେଣୁ ଶିଖର ଧାୱନଙ୍କ ସହ ବିରାଟ କୋହଲି ଇନିଂସ୍ ଓପନ୍ କରିଥିଲେ । ହେଲେ ଏହି ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଯଥାକ୍ରମେ ୮ ଓ ୫ ରନ୍ କରି ଆଉଟ୍ ହୋଇଥିଲେ । ରାହୁଲ (୧୪), ୱାଶିଂଟନ ସୁନ୍ଦର (୧୧) ମଧ୍ୟ ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ ଶ୍ରେୟସ ଆୟର (୮୨) ଓ ଅକ୍ଷର ପଟେଲ (୫୬) ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଶେଷ ୧୦ ଓଭର ପୂର୍ବରୁ ଆଉଟ୍ ହୋଇଯିବାରୁ ଭାରତ ହାତରୁ ମ୍ୟାଚ୍ ଖସି ଯାଇଥିଲା ।

Comments are closed.