ଚୀନ୍‌କୁ ପଛରେ ପକାଇ ଭାରତ ହେଲା ବିଶ୍ୱର ସବୁଠୁ ଜନବହୁଳ ଦେଶ

ନୂଆଦିଲ୍ଲୀ: ଜନସଂଖ୍ୟାରେ ଭାରତ ଏବେ ଚୀନକୁ ଟପି ବିଶ୍ୱର ସବୁଠୁ ଜନବହୁଳ ଦେଶ ହୋଇଛି | ଜାତିସଂଘର ଜନସଂଖ୍ୟା ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ଏବେ ଚୀନ୍ ଠାରୁ ୩୦ ଲକ୍ଷ ଅଧିକ।

ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫପିଏ)ର “ଷ୍ଟାଟସ୍ ଅଫ୍ ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ, ୨୦୨୩”ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଭାରତର ଜନସଂଖ୍ୟା ୧୪୨.୮୬ କୋଟି ହୋଇଥିବା ବେଳେ ଚୀନର ଜନସଂଖ୍ୟା ହେଉଛି ୧୪୨.୫୭ କୋଟି । ୩୪ କୋଟି ଜନସଂଖ୍ୟା ସହିତ ତୃତୀୟ ସ୍ଥାନରେ ରହଛି ଆମେରିକା |

ରିପୋର୍ଟରେ କୁହାଯାଇଛି ଯେ ଏହି ଆକଳନ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଉପରେ ଆଧାରିତ।
୧୯୫୦ ପରଠୁ ପ୍ରଥମ ଥର ଭାରତର ଜନସଂଖ୍ୟା ଚୀନ୍‌କୁ ଟପିଛି ।

ୟୁଏନ୍ଏଫପିଏ ମିଡ଼ିଆ ପରାମର୍ଶଦାତା ଆନ୍ନା ଜେଫରିଜଙ୍କ କହିବା ଅନୁଯାୟୀ, ଜନସଂଖ୍ୟାରେ ଭାରତ କେବେ ଚୀନ୍‌କୁ ଟପିଲା ତାହା କହିବା କଷ୍ଟକର । କାରଣ ଦୁଇ ଦେଶରୁ ମିଳିଥିବା ତଥ୍ୟରେ ବହୁତ କମ୍ ଅନ୍ତର ରହିଛି । ଭାରତରେ ଶେଷଥର ଜନଗଣନା ୨୦୧୧ ମସିହାରେ ହୋଇଥିଲା । ୨୦୨୧ରେ ହେବାକୁ ଥିବା ପରବର୍ତ୍ତୀ ଜନଗଣନା କୋଭିଡ୍-୧୯ ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ ।

ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତରେ ଜନସଂଖ୍ୟା ବଢୁଛି । ତେବେ ଜନସଂଖ୍ୟା ବୃଦ୍ଧି ହାର ୧୯୮୦ ପରଠୁ କମ୍ ରହିଛି ।

Comments are closed.