ଆଜି ଭାରତ-ପାକିସ୍ତାନ ଲଢ଼େଇ, ୮-୦ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: କ୍ରିକେଟପ୍ରେମୀ ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ ତାହା ଶେଷରେ ଉପନୀତ ହୋଇଛି । ଚଳିତ ଦିନିକିଆ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଆଜି ଅହମ୍ମଦାବାଦରେ ଖେଳାଯିବ । ଏହି ମହାମୁକାବିଲା ପାଇଁ ପ୍ରସ୍ତୁତ ବିଶ୍ୱର ସର୍ବବୃହତ୍ କ୍ରିକେଟ୍ ଗ୍ରାଉଣ୍ଡ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ।

ବିଶ୍ବକପ୍‌ରେ ଦୁଇ ଦଳର ରେକର୍ଡକୁ ଦେଖ‌ିଲେ ଏଥର ବି ଟିମ୍ ଇଣ୍ଡିଆ ଫେଭରିଟ୍ । ଦିନିକିଆ ବିଶ୍ଵକପ୍‌ରେ ଉଭୟ ଦଳ ଏଯାବତ୍ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ପ୍ରତ୍ୟେକ ଥର ବାଜିମାରି ନେଇଛି ଭାରତ । ଶନିବାର ଏହି ଅଗ୍ରଣୀକୁ ୮-୦କୁ ବୃଦ୍ଧି କରିବାକୁ ଚାହିଁବ ଟିମ୍ ଇଣ୍ଡିଆ। ତେବେ ମ୍ୟାଚ୍‌ ଦିନର ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ହେବ । କାଗଜ କଲମରେ ଭାରତ ଅଧିକ ଶକ୍ତିଶାଳୀ ଦେଖାଯାଉଛି । ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍ ବିଶ୍ବର ଅନ୍ୟତମ ଶ୍ରେଷ୍ଠ । ତେବେ ପାକିସ୍ତାନର ଦ୍ରୁତ ବୋଲିଂ ମଧ୍ୟ ସମାନ ଢଙ୍ଗରେ ଶକ୍ତିଶାଳୀ। ଭାରତୀୟ ଟପ୍‌ଅର୍ଡର ଓ ଶାହିନ୍ ଶାହ ଆଫ୍ରିଦିଙ୍କ ଓପନିଂ ସ୍ପେଲ୍ ଉପରେ ସଭିଙ୍କ ନଜର ରହିବ।

ପାକିସ୍ତାନ ବୋଲର ଶାହିନ୍ ଶାହ ଆଫ୍ରିଦି ନିଜର ଓପନିଂ ସ୍ପେଲରେ‌ ଅତ୍ଯନ୍ତ ବିପଜ୍ଜନକ ବୋଲର । ତେବେ ୧ ଲକ୍ଷ ୩୨ ହଜାର ଭାରତୀୟ ସମର୍ଥକଙ୍କ ସମ୍ମୁଖରେ ରୋହିତ ଶର୍ମା‌ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଶାହିନ୍‌ଙ୍କ ଲାଇନ୍ ବିଗାଡିବାକୁ ପ୍ରୟାସ କରିବେ । ଅନ୍ୟତମ ଓପନର ଶୁଭମାନ ଗିଲ୍ ଡେଙ୍ଗୁରୁ‌ ସୁସ୍ଥ ହୋଇଥିଲେ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାନ୍ତି। ତେବେ ଗିଲ୍ ଏହି ମ୍ୟାଚ୍ ପାଇଁ ୯୯% ଉପଲବ୍ଧ ହେବେ ବୋଲି କ୍ୟାପଟେନ୍ ରୋହିତ ଶର୍ମା କହିଛନ୍ତି । ଫଳରେ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ଆଶା ବଢ଼ିଛି । ଗିଲ୍ ଫିଟ୍ ନ ହେଲେ ଇଶାନ କିଶନଙ୍କୁ ଲଗାତର ତୃତୀୟ ମ୍ୟାଚରେ ବ୍ୟାଟିଂ ଓପନ କରିବାକୁ ସୁଯୋଗ ମିଳିବ।

ଓପନିଂରେ ଭଲ ପାର୍ଟନରସିପ୍ ହେବା ଦ୍ବାରା ବିରାଟ କୋହଲି, ଶ୍ରେୟସ ଆୟାର ଓ ଲୋକେଶ ରାହୁଲଙ୍କ ପାଇଁ ଏକ ଭଲ ପ୍ଲାଟ୍‌ଫର୍ମ ମଧ୍ୟ ମିଳିବ। ଭାରତୀୟ ସ୍ପିନ୍ ଆକ୍ରମଣ ବେଶ୍ ଶକ୍ତିଶାଳୀ ରହିଥ‌ିବା ବେଳେ ପାକିସ୍ତାନ ସ୍ପିନ ମାନେ ଫର୍ମରେ ନାହାନ୍ତି। ପାକିସ୍ତାନ ଉପଅଧିନାୟକ ଶଦାବ ଖାନ୍ ଆଦୌ ଫର୍ମରେ ନ ଥିବା ବେଳେ ଏହା ଭାରତୀୟ ବ୍ୟାଟରଙ୍କୁ ଆତ୍ମବିଶ୍ବାସ ପ୍ରଦାନ କରିବ । ଶଦାବ ଦୁଇଟି ମ୍ୟାଚରେ ୧୬ ଓଭରରେ ୧୦୦ ରନ୍ ବ୍ୟୟ କରିସାରିଛନ୍ତି। ସେହିପରି ହସନ ଅଲୀଙ୍କ ବଲ୍‌ରେ ପେସ୍ ନ ଥିବାରୁ ତାଙ୍କୁ ଭାରତୀୟ ବ୍ୟାଟରମାନେ ଟାର୍ଗେଟ କରିବେ।

ଭାରତୀୟ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଚମତ୍କାର ଫର୍ମରେ ରହିଛନ୍ତି। ତେଣୁ କୁଲଦୀପ ଓ ପାକିସ୍ତାନ ଅଧିନାୟକ‌ ବାବର ଆଜମଙ୍କ ମଧ୍ଯରେ‌ ରୋମାଞ୍ଚକ ଟକ୍କର ‌ଆଶା କରାଯାଉଛି। ୨୦୧୯ ବିଶ୍ୱକପ୍‌ରେ ମଧ୍ଯ କୁଲଦୀପଙ୍କ ବଲରେ ଆଉଟ ହୋଇଥିଲେ ବାବର । ପାକିସ୍ତାନ ଦଳରେ ମହମ୍ମଦ ରିଜୱାନ, ଶୌଦ ଶକିଲ୍ ଓ ଅବଦୁଲ୍ଲା ଶଫିକ୍‌ଙ୍କ ପରି ପ୍ରତିଭାବାନ ଖେଳାଳି ରହିଥିଲେ ମଧ୍ୟ ବାବରଙ୍କ ଉପରେ ସଭିଙ୍କ ନଜର ରହିବ। ତେବେ କୁଲ୍‌ଦୀପଙ୍କ ପୂର୍ବରୁ ପାକିସ୍ତାନ ବ୍ୟାଟରଙ୍କୁ ପ୍ରଥମେ ଯଶପ୍ରୀତ୍ ବୁମରା ଓ ମହମ୍ମଦ ସିରାଜଙ୍କ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ ।

ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଆକ୍ରମଣାତ୍ମକ ଖେଳିଥିବା ବେଳେ ଭାରତ ବିପକ୍ଷରେ ଏହା ବେଶ୍ କଷ୍ଟସାଧ୍ୟ ରହିବ। ଅହମ୍ମଦାବାଦର ପିଚ୍ ବ୍ୟାଟିଂ ସହାୟକ ରହିଥ‌ିବା ବେଳେ ଭାରତ ୮ ନମ୍ବରରେ ରବିଚନ୍ଦ୍ରନ ଅଶ୍ବିନ ଓ ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରୁ କାହାକୁ ଖେଳାଇବ ତାକୁ ନେଇ କୌଣସି ସ୍ପଷ୍ଟଚିତ୍ର ମିଳିନାହିଁ।

ଭାରତ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ କିଶନ ।

ପାକିସ୍ତାନ: ବାବର ଆଜମ (ଅଧିନାୟକ), ଶାଦବ ଖାନ, ଫଖର ଜମାନ, ଇମାମ-ଉଲ-ହକ, ଅବଦୁଲ୍ଲା ଶାଫିକ୍, ମହମ୍ମଦ ରିଜୱାନ୍, ଶୌଦ ଶକିଲ, ଇଫତିକାର ଅହମ୍ମଦ, ସଲମାନ ଅଲି ଆଗା, ମହମ୍ମଦ ନୱାଜ, ଉସାମା ମୀର୍, ହାରିସ ରାଉଫ, ହାସନ ଅଲି, ଶାହିନ ଆଫ୍ରିଦି ଓ ମହମ୍ମଦ ୱାସିମ୍ |

Comments are closed.