ଆଜି ବିଶ୍ଵକପରେ ବାଂଲାଦେଶକୁ ଭେଟିବ ଭାରତ

ପୁଣେ: ଭାରତ ଦିନିକିଆ ବିଶ୍ୱକପରେ ଗୁରୁବାର ବାଂଲାଦେଶକୁ ଭେଟିବ । ପ୍ରଥମ ତିନୋଟି ମ୍ୟାଚ୍ ଜିତିଥିବା ଭାରତ ଏହି ଧାରା ବଜାୟ ରଖି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ।

କ୍ୟାପଟେନ୍ ରୋହିତ ଶର୍ମାଙ୍କ ଦଳ ବିଶ୍ୱକପରେ ସମ୍ପ୍ରତି ଦୁଇଟି ମ୍ୟାଚରେ ହୋଇଥିବା ଅପସେଟ୍ ଏବଂ ଭାରତ ବିପକ୍ଷ ଗତ ଚାରିଟି ମ୍ୟାଚରେ ବାଂଲାଦେଶର ରେକର୍ଡ଼ ଦୃଷ୍ଟିରୁ ଏହି ମ୍ୟାଚରେ କୌଣସି ରିସ୍କ ନେବାକୁ ଚାହିଁବନି। କାରଣ ଉଭୟ ଦଳ ମଧ୍ୟରେ ଗତ ଚାରିଟି ଦିନିକିଆରୁ ବାଂଲାଦେଶ ତିନି ଥର ଭାରତକୁ ହରାଇଛି । ଶେଷଥର ନିକଟରେ ଦୁଇ ଦଳ ଏସିଆ କପରେ ମୁହାଁମୁହିଁ ହୋଇଥିବା ବେଳେ ଭାରତକୁ ୬ ରନରେ ହରାଇ ପୁଣି ବାଜି ମାରି ନେଇଥିଲା ବାଂଲାଦେଶ ।

ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯଥାକ୍ରମେ ଆଫଗାନିସ୍ତାନ ଓ ନେଦରଲ୍ୟାଣ୍ଡସର ବିଜୟ ପରେ ଭାରତ କୌଣସି ଦଳକୁ ହାଲୁକା ଭାବେ ନେବା ଭୁଲ୍ କରିବନି। ବ୍ୟାଟିଂ ବିଭାଗରେ ଅଧିନାୟକ ରୋହିତ ନିଜର ଚମତ୍କାର ଫର୍ମ ଜାରି ରଖିବାକୁ ଚାହିଁବେ । ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲ୍ ଓ ବିରାଟ କୋହଲି ବଡ଼ ସ୍କୋର କରିବାକୁ ବ୍ୟାକୁଳ ହେବେ। ରୋହିତ ଗତ ଦୁଇଟି ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୮୬ ଏବଂ ଆଫଗାନିସ୍ତାନ ବିପକ୍ଷରେ ୧୩୧ ରନ କରି ଇନିଂସ୍ ଖେଳିଥିଲେ । ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି ଏବଂ ସେମାନଙ୍କର ବିଜୟ ଧାରା ଆଗକୁ ବଢ଼ାଇବା ଲକ୍ଷ୍ୟରେ ରହିବ। ରୋହିତଙ୍କ ଯୁବ ଓପନିଂ ପାର୍ଟନର ଗିଲ୍ ଏକ ବଡ଼ ଇନିଂସ ସହ ଏହି ମଞ୍ଚରେ ନିଜକୁ ପ୍ରମାଣ କରିବାକୁ ବ୍ୟଗ୍ର ହେବେ। ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଛନ୍ତି ଏବଂ ଚଳିତ ବର୍ଷ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଛନ୍ତି |

କୋହଲିଙ୍କ ବ୍ୟାଟ୍ ପାକିସ୍ତାନ ବିପକ୍ଷରେ ଶାନ୍ତ ପଡ଼ି ଯାଇଥିଲା । କିନ୍ତୁ ସେ ଅଷ୍ଟ୍ରେଲିଆ (୮୫) ଏବଂ ଆଫଗାନିସ୍ତାନ (୫୫*) ବିପକ୍ଷରେ ଅର୍ଦ୍ଧଶତକ ସହ ଲୟ ଜାରି ରଖିଛନ୍ତି। ଶ୍ରେୟାସ ଆୟର ପାକିସ୍ତାନ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଭାରତୀୟ ବ୍ୟାଟିଂକୁ ଆହୁରି ସୁଦୃଢ଼ କରିଥିଲେ।

ଯଦି ପିଚ୍ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ସୁହାଏ, ତେବେ କୌଣସି ବୋଲିଂ ଆକ୍ରମଣ ଭାରତୀୟ ଦଳକୁ ଅଟକାଇବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହେବ। ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ୭ଟି ମ୍ୟାଚ ମଧ୍ୟରୁ କେବଳ ଚାରିଟି ଜିତିବାରେ ସକ୍ଷମ ହୋଇଛି । ତେଣୁ ଦଳକୁ ଏଠାରେ ସତର୍କ ରହିବାକୁ ପଡ଼ିବ। ଜସପ୍ରୀତ ବୁମରା ଏବଂ କୁଲଦୀପ ଯାଦବଙ୍କ ନେତୃତ୍ୱରେ ଭାରତୀୟ ବୋଲରମାନେ ମଧ୍ୟ ବିପକ୍ଷ ଦଳକୁ ଏପର୍ଯ୍ୟନ୍ତ ବାନ୍ଧି ରଖିଛନ୍ତି। ଅଷ୍ଟ୍ରେଲିଆକୁ ୧୯୯ ରନରେ ଆଉଟ୍ କରିବା ପରେ ଭାରତୀୟ ବୋଲର ପାକିସ୍ତାନକୁ ୧୯୧ ରନରେ ଅଲ୍ଆଉଟ୍ କରିଥିଲେ । ପିଚ୍‌ରେ ୱିକେଟ୍ ନେବା କ୍ଷମତା ଭାରତୀୟ ବୋଲରମାନଙ୍କୁ ସ୍ୱତନ୍ତ୍ର କରିଥାଏ।

ବାଂଲାଦେଶ ଦଳ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ରୋହିତ ଶର୍ମାଙ୍କୁ ରୋକିବା । ଜବରଦସ୍ତ ଫର୍ମରେ ଥିବା ରୋହିତ ବାଂଲାଦେଶ ବିପକ୍ଷରେ ୨୦୧୫ (ମେଲବୋର୍ଣ୍ଣ) ବିଶ୍ୱକପ ମ୍ୟାଚରେ ୧୩୭ ରନ୍ ଓ ୨୦୧୯ (ବର୍ମିଂହାମ) ବିଶ୍ୱକପରେ ୧୦୪ ରନର ଇନିଂସ୍ ଖେଳିଥିଲେ । ୨୦୦୭ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଅପ୍ରତ୍ୟାଶିତ ପରାଜୟ ପରେ ଭାରତ ଏହି ଦଳ ବିପକ୍ଷରେ କ୍ରମାଗତ ତିନିଥର ୩୦୦ରୁ ଅଧିକ ରନ୍ କରିବାରେ ସଫଳ ହୋଇଛି।

ଭାରତୀୟ ଅଧିନାୟକଙ୍କ ନାଁରେ ବିଶ୍ୱକପରେ ରେକର୍ଡ ୭ ଶତକ ରହିଛି । ଭାରତୀୟ ସମର୍ଥକଙ୍କ ସମ୍ମୁଖରେ ଆଉ ଏକ ପ୍ରଭାବୀ ଇନିଂସ ଖେଳିବାକୁ ହିଟମ୍ୟାନ୍ ପ୍ରସ୍ତୁତ। ବାଂଲାଦେଶ ପାଇଁ ଏକ ଖୁସି ଖବର ହେଉଛି ଅଧିନାୟକ ଶାକିବ ଅଲ ହାସନ ବାମ ଜଙ୍ଘ ଆଘାତରୁ ସୁସ୍ଥ ହୋଇ ଏହି ଚୟନ ପାଇଁ ଉପଲବ୍ଧ। ବିଶ୍ୱକପ ପ୍ରଥମ ମ୍ୟାଚରେ ଏକ ବଡ଼ ବିଜୟ ପରେ ଉନ୍ନତ ଦଳ ବିରୋଧରେ ଦୁଇଟି ପରାଜୟ ବାଂଲାଦେଶକୁ କିଛି ମାତ୍ରାରେ ହତାଶ କରିଛି |

ଲଗାତାର ତୃତୀୟ ପରାଜୟ ପରେ ସେମିଫାଇନାଲରେ ବାଂଲାଦେଶର ପ୍ରବେଶ ପାଇଁ ରାସ୍ତା ବହୁତ କଷ୍ଟସାଧ୍ୟ ହେବ। ପ୍ରଥମ ତିନୋଟି ମ୍ୟାଚ୍‌ରେ ଲିଟନ୍ ଦାସ ଏବଂ ମେହେଦି ହସନ୍ ମିରାଜ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ । କିନ୍ତୁ ନାଜମୁଲ ହାସନ ଶାନ୍ତୋ ଏବଂ ତୈହିଦ୍ ହୃଦୟ ଭଳି ଯୁବ ଖେଳାଳି ନିରାଶ କରିଥିଲେ। କେବଳ ମୁଶଫିକୁର ରହୀମ ମଧ୍ୟ କ୍ରମରେ ବଡ଼ ଇନିଂସ ଖେଳିବାରେ ସଫଳ ହୋଇଥିଲେ। ଅଭିଜ୍ଞ ଦ୍ରୁତ ବୋଲର ତସ୍କିନ୍ ଅହମ୍ମଦ ଏବଂ ମୁସ୍ତାଫିଜୁର ରହମାନ ଲୟ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ତେଣୁ ବୋଲରମାନେ ଇନିଂସ ଆରମ୍ଭରେ ଚାପ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି।

ଭାରତ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ।

ବାଂଲାଦେଶ: ଶାକିବ ଅଲ ହସନ (ଅଧିନାୟକ), ଲିଟନ ଦାସ, ତାନଜିଦ ହସନ ତମିମ, ନାଜମୁଲ ହାସନ ଶାନ୍ତୋ, ତାହିଦ ହୃଦୟ, ମୁଶଫିକୁର ରହୀମ, ମହମୁଦୁଲ୍ଲା ରିୟାଦ, ମେହଦି ହସନ ମିରାଜ, ନାସୁମ ଅହମ୍ମଦ, ମହେଦି ହସନ, ତସ୍କିନ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ, ହସନ ମହମ୍ମଦ, ତାନଜିମ୍ ହସନ୍ ସାକିବ୍ |

Comments are closed.