ଆଜି ଅଣ୍ଡର-୧୯ ବିଶ୍ବକପ୍ ଫାଇନାଲରେ ଭାରତ-ଇଂଲଣ୍ଡ ମୁହାଁମୁହିଁ, ରେକର୍ଡ ପଞ୍ଚମ ଟାଇଟଲ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନର୍ଥ ସାଉଣ୍ଡ୍ (ଆଣ୍ଟିଗୁଆ): ଆଇସିିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଟ୍ରଫି ପାଇଁ ଲଢେଇ ହେବ । ଜୁ୍‌ନିୟର ବିଶ୍ୱକପରେ ଭାରତର ଏହା କ୍ରମାଗତ ଚତୁର୍ଥ ଓ ମୋଟ ଅଷ୍ଟମ ଫାଇନାଲ । ଭାରତ ଏହି ଇଭେଣ୍ଟର ସବୁଠୁ ସଫଳ ଦଳ ଭାବେ ସର୍ବାଧିକ ଚାରି ଥର ଚାମ୍ପିୟନ ହୋଇଛି । ଏବେ ରେକର୍ଡ ପଞ୍ଚମ ଟାଇଟଲ ଲକ୍ଷ୍ୟରେ ଅଣ୍ଟା ଭିଡ଼ିଛି ଭାରତର ଜୁନିୟର ଟିମ୍ । ଅଧିନାୟକ ୟଶ୍ ଧୂଲ୍ ଏବଂ ସାଥୀ ଟାଇଟଲ ସହ ଚମତ୍କାର ଅଭିଯାନ ଶେଷ କରିବାକୁ ବ୍ୟଗ୍ର ।

ଚଳିତ ସଂସ୍କରଣରେ ଭାରତ ଆରମ୍ଭରୁ କରୋନା ସଙ୍କଟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ଧୂଲଙ୍କ ସମେତ ଦଳର ୭ ଖେଳାଳି କରୋନା ପଜିଟିଭ୍ ହୋଇଥିଲେ । ଏତେ ସଂଖ୍ୟକ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଗୋଟିଏ ପରେ ଗୋଟିଏ ବିଜୟ ସହ ଆଗକୁ ବଢିଥିଲା । ସଂକ୍ରମିତ ଖେଳାଳିଙ୍କ ମଧ୍ୟରେ ଅଧିନାୟକ ଧୂଲଙ୍କ ସ୍ୱାସ୍ଥ୍ୟାବସ୍ଥା ଅପେକ୍ଷାକୃତ ଅଧିକ ବିଗିଡ଼ି ଯାଇଥିଲା । ତଥାପି ସେ ଏହି ରୋଗକୁ ହରାଇ ପଡ଼ିଆକୁ ଫେରି ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଏକ ଚମତ୍କାର ଶତକ ହାସଲ କରି ଦଳର ବିଜୟରେ କର୍ଣ୍ଣଧାର ସାଜିଥିଲେ । ଉପଅଧିନାୟକ ଶେକ୍ ରସିଦ୍ ମଧ୍ୟ କରୋନା କବଳିତ ହୋଇଥିଲେ । ଧୂଲଙ୍କ ପରି ସେ ମଧ୍ୟ ସୁସ୍ଥ ହୋଇ ପଡ଼ିଆକୁ ଫେରି ସେମିରେ ନିଜ ପ୍ରତିଭାର ଚମକ ଦେଖାଇଥିଲେ । ସେମିରେ ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇ ଭାରତ କ୍ରମାଗତ ଚତୁର୍ଥ ଥର ଫାଇନାଲରେ ପହଞ୍ଚିଥିଲା ।

ସେମିରେ ଓପନର ଅଙ୍ଗକ୍ରିଶ ରଘୁବଂଶୀ ଓ ହର୍ନୁର ସିଂ ଆବଶ୍ୟକତା ଠାରୁ ଅଧିକ ସତର୍କତାର ସହ ପ୍ରଦର୍ଶନ କରିଥିଲେ । ଫାଇନାଲରେ ଉଭୟଙ୍କୁ ଆକ୍ରମଣାତ୍ମକ ତଥା ସକାରାତ୍ମକ ଆଭିମୁଖ୍ୟ ଆପଣାଇବାକୁ ପଡିବ । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତର ଏକ ବଡ଼ ସକାରାତ୍ମକ ସଙ୍କେତ ହେଲା ଦଳର ପରିପକ୍ୱତା । ଅଷ୍ଟ୍ରେଲିଆ ବିପକ୍ଷ ସେମିରେ ଖରାପ ଷ୍ଟାର୍ଟ ସତ୍ତ୍ୱେ ଅଧିନାୟକ ଧୂଲ ଓ ରଶିଦ୍ ଯେଉଁଭଳି ବ୍ୟାଟିଂ କରିଥିଲେ ତାହା ଇନିଂସକୁ କିପରି ସଜଡା ଯାଏ ତାହାର ଏକ ଉଦାହରଣ ଥିଲା ଏବଂ ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷା ଥିଲା ।

ଭାରତର ଏହି ଜୁନିୟର ବିଶ୍ୱକପ୍ ଦଳରୁ ଅଧିନାୟକ ଧୂଲଙ୍କ ସହ କିଛି ଖେଳାଳି ସିିନିୟର ଦଳରେ ସୁଯୋଗ ପାଇପାରନ୍ତି । ହେଲେ ତା’ପୂର୍ବରୁ ଏହି ଯୁବ ଭାରତୀୟ ଦଳ ଯଦି ଟାଇଟଲ ବିଜୟୀ ହୁଅନ୍ତି, ତେବେ ସେମାନଙ୍କୁ ଆଗାମୀ ଆଇପିଏଲ୍ ମେଗା ନିଲାମରେ ମୋଟା ଅଙ୍କର ବର୍ଷା ସହ ସ୍ୱାଗତ କରାଯାଇ ପାରେ, ଯାହା ସେମାନଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ।
ଭାରତର ବ୍ୟାଟ୍ସମମ୍ୟାନ ମାନେ ଚଳିତ ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ପ୍ରଦର୍ଶନ ସହ ଚମକିଥିବା ବେଳେ ବୋଲରମାନେ ସଂଘବଦ୍ଧ ଭାବେ ସଫଳତା ହାସଲ କରିଛନ୍ତି । ରାଜବର୍ଦ୍ଧନ ହଙ୍ଗାରଗେକାରଙ୍କ ଅତିରିକ୍ତ ପେସ୍ ପ୍ରତିପକ୍ଷ ଦଳମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଫାଇନାଲରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବି ସେ ନିଜ ପେସ୍ ଦ୍ୱାରା ଧରାଶାୟୀ କରିବେ ବୋଲି ଆଶା କରାଯାଉଛି । ରାଜବର୍ଦ୍ଧନଙ୍କ ପରି ବାମହାତୀ ପେସର ରବି କୁମାର ମଧ୍ୟ ପ୍ରତିପକ୍ଷ ଦଳର ଟପ୍ ଅର୍ଡରକୁ ଘାଇଲା କରିଛନ୍ତି । ଭିକି ଓସୱାଲଙ୍କ ନେତୃତ୍ୱରେ ଭାରତର ସ୍ପିନ୍ ବିଭାଗ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ ମଝି ଇନିଂସରେ ରନ୍ ରୋକିବାରେ ସଫଳ ହୋଇଛି । ଭିକି ଚଳିତ ବିଶ୍ୱକପରେ ୧୨ଟି ୱିକେଟ୍ ସହ ଭାରତର ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି ।
ଇଂଲଣ୍ଡ ବିପକ୍ଷ ଫାଇନାଲ ପୂର୍ବରୁ ସୁପରଷ୍ଟାର ବିରାଟ କୋହଲି ଜୁନିୟର ଭାରତୀୟ ଦଳକୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । କୋହଲି ମଧ୍ୟ ଅଣ୍ଡର-୧୯ ସ୍ତରରେ ଭାରତକୁ ବିଶ୍ୱକପ୍ ବିଜୟୀ କରାଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ୨୦୦୮ରେ ଏହି ଟାଇଟଲ୍ ଜିତିଥିଲା ।

ଅନ୍ୟପଟେ ଇଂଲଣ୍ଡ ୧୯୯୮ ପରେ ପ୍ରଥମ ଥର ଜୁନିୟର ବିଶ୍ୱକପ୍ ଫାଇନାଲରେ ଖେଳୁଛି । ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଦୀର୍ଘ ୨୪ ବର୍ଷ ପରେ ତଥା ଦ୍ୱିତୀୟ ଥର ପାଇଁ ଏହି ଟ୍ରଫି ଜିତିବା ଲକ୍ଷ୍ୟରେ ଅଛି । ଇଂଲଣ୍ଡକୁ ହାଲକାରେ ନେବା ଭାରତୀୟ ଦଳକୁ ମହଙ୍ଗା ପଡିପାରେ । ସେମିଫାଇନାଲରେ ଇଂଲଣ୍ଡ ଆଫଗାନିସ୍ତାନକୁ ହରାଇଥିଲା ।

Comments are closed.