ଆଜି ବିଶ୍ୱକପରେ ଭାରତ-ଇଂଲଣ୍ଡ ଲଢ଼େଇ

ଲକ୍ଷ୍ନୌ: ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ରବିବାର ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଏଠିକାର ପିଚ୍ ସ୍କ୍ରିନରଙ୍କୁ ସହାୟତା କରୁଥିବା ବେଳେ ଭାରତ ୩ ସ୍ପିନରଙ୍କ ସହିତ ଓହ୍ଲାଇବାର ସମ୍ଭାବନା ଅଧିକ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟିମରେ ନ ଥିବା ବେଳେ ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ।

ଧର୍ମଶାଳାରେ ୫ ଓ୍ବିକେଟ୍ ନେଇଥିବା ମହମ୍ମଦ ଶାମି ଖେଳିବା ମଧ୍ଯ ଏକପ୍ରକାର ନିଶ୍ଚିତ। ତେଣୁ ସିରାଜ ବାହାରେ ବସିପାରନ୍ତି। ଚଳିତ ବିଶ୍ବକପ୍ ଇଂଲଣ୍ଡ ପାଇଁ ଅତ୍ୟନ୍ତ ନିରାଶାଜନକ ରହିଥ‌ିବା ବେଳେ ଭାରତ ଚମତ୍କାର ପ୍ରଦର୍ଶନ ସହ ଏଯାବତ୍ ଅପରାଜେୟ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତର ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ରହିଛି। ଟପ୍ ଅର୍ଡରରେ ରୋହିତ ଶର୍ମା, ଶୁବମନ ଗିଲ୍ ଓ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ମିଡିଲ ଅର୍ଡରରେ ଲୋକେଶ ରାହୁଲ ମଧ୍ୟ ସମାନ ପରିମାଣରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉ ଏକ ସୁଯୋଗ ମିଳିବ। ଧର୍ମଶାଳାରେ ସେ ଦୁର୍ଭାଗ୍ୟଜନକ ଭାବରେ ରନ୍‌ଆଉଟ ହୋଇଥିବା ବେଳେ ଲକ୍ଷ୍ନୌରେ ସୁଯୋଗର ଫାଇଦା ଉଠାଇବାକୁ ପ୍ରୟାସ କରିବେ।

Comments are closed.