ଟି୨୦ ବିଶ୍ୱକପ: ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ସବୁଠୁ ପ୍ରତୀକ୍ଷିତ ମ୍ୟାଚରେ ଆଜି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ରେ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ଉଭୟ ଦେଶ ଓ ବିଶ୍ୱର ସବୁ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ସର୍ବୋଚ୍ଚ ସ୍ତରରେ । ବିଶ୍ୱକପ (ଉଭୟ ଦିନିକିଆ ଓ ଟି୨୦)ରେ ପାକିସ୍ତାନ ବିପକ୍ଷରେ ଭାରତର ଏକଦା ଶତ ପ୍ରତିଶତ ରେକର୍ଡ ଥିଲା । ହେଲେ ତାହା ଗତ ସଂସ୍କରଣରେ ଭାଙ୍ଗିଯାଇଥିଲା । ୟୁଏଇରେ ଅନୁଷ୍ଠିତ ୨୦୨୧ ସଂସ୍କରଣରେ ପାକିସ୍ତାନ ଠାରୁ ୧୦ ୱିକେଟରେ ପରାଜୟର ଯନ୍ତ୍ରଣା ଭାରତ ଏବେ ବି ଅନୁଭବ କରୁଛି । ଏବେ ରୋହିତ ଶର୍ମାଙ୍କ ଦଳ ସେହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । କିନ୍ତୁ ଏହା ସହଜ ହେବ ନାହିଁ । କାରଣ ପାକିସ୍ତାନ ଭଳି ପ୍ରତିଭାବାନ ଦଳକୁ ହରାଇବାକୁ ହେଲେ ଭାରତ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

ଏହି ହାଇ ଭୋଲଟେଜ୍ ମୁକାବିଲା ପାଇଁ ପଡ଼ିଆ, ଖେଳାଳି ଓ ପ୍ରଶଂସକ ପ୍ରସ୍ତୁତ ରହିଥିବା ବେଳେ ବର୍ଷା ଖେଳ ବିଗାଡ଼ିବା ସମ୍ଭାବନା ରହିଛି । ରବିବାର ପାଇଁ ମେଲବୋର୍ଣ୍ଣରେ ୯୦ ପ୍ରତିଶତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନା କରିଛି । ତେବେ ସ୍ଥାନୀୟ ଲୋକ ନିଜ ଅନୁଭୂତିରୁ କହିଛନ୍ତି ଯେ, ବର୍ଷା ହେଲେ ମଧ୍ୟ ମ୍ୟାଚ୍ ପୂରା ଧୋଇ ଯିବନି । ଅର୍ଥାତ କାଣ୍ଟଛାଣ୍ଟ ହେଲେ ମଧ୍ୟ ଏହି ପ୍ରତୀକ୍ଷିତ ମ୍ୟାଚ୍ ଖେଳା ଯାଇପାରିବ ।

ଉଭୟ ଦେଶର ହଜାର ହଜାର ପ୍ରଶଂସକଙ୍କ ଏହି ମହାଲଢେଇ ପାଇଁ ମେଲବୋର୍ଣ୍ଣରେ ସମାଗମ ହୋଇଛି । ରୋହିତ ଶର୍ମା ଓ ବାବର ଆଜମ ଗଣମାଧ୍ୟମ ଆଗରେ ସେମାନେ ଏହାକୁ ଅନ୍ୟ କୌଣସି ମ୍ୟାଚ୍ ଭଳି ଦେଖୁଛନ୍ତି ବୋଲି କହୁଥିଲେ ମଧ୍ୟ ଦୁଇ ଦଳର ଖେଳାଳି ଜାଣନ୍ତି ଯେ ସେମାନଙ୍କ ପାଇଁ ଏହା ହିଁ ‘ଅସଲ ମ୍ୟାଚ୍‌’ । ୟୁଏଇରେ ଅନୁଷ୍ଠିତ ଗତ ସଂସ୍କରଣରେ ଶାହୀନ ଶାହ ଆଫ୍ରିଦି ଗୋଟିଏ ଘାତକ ସ୍ପେଲରେ ଭାରତର ଷ୍ଟାର ବ୍ୟାଟିଂ ଲାଇନ୍ ଅପକୁ ନିଷ୍ପ୍ରଭ କରିଦେଇଥିଲେ । ଶାହୀନଙ୍କ ଉକ୍ତ ପ୍ରଦର୍ଶନ ସହାୟତାରେ ପାକିସ୍ତାନ ବିଶ୍ୱକପ (ଦିନିକିଆ ଓ ଟି୨୦)ରେ ପ୍ରଥମ ଥର ଭାରତକୁ ହରାଇଥିଲା । ଶାହୀନ କେବଳ ନିଜ ଘାତକ ପ୍ରଦର୍ଶନ ଦ୍ୱାରା ଭାରତ ବିପକ୍ଷ ବିଶ୍ୱକପରେ ପରାଜୟ ଧାରା ଭାଙ୍ଗିବାକୁ ପାକିସ୍ତାନକୁ ସୁଯୋଗ ଦେଇନଥିଲେ ବରଂ ବିଶ୍ୱର କିଛି ବଡ଼ ବ୍ୟାଟ୍ସମ୍ୟାନଙ୍କ ଅଂହକୁ ମଧ୍ୟ ଦୋହଲାଇ ଦେଇଥିଲେ । ଗତବର୍ଷ ଦୁବାଇରେ ଶାହୀନଙ୍କ ଆଗରେ ଆତ୍ମସମର୍ପଣକୁ ରୋହିତ, କୋହଲି ଓ ରାହୁଲ ଭୁଲିନଥିବେ । ଅନ୍ୟପକ୍ଷରେ ନିକଟରେ ଅସ୍ଥିର ପ୍ରଦର୍ଶନରୁ ଭାରତୀୟ ଦଳ ଏହି ମେଗା ଇଭେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ପରି ମନେ ହେଉନି । ଏହା ଚିନ୍ତାଜନକ ହୋଇଥିଲେ ମଧ୍ୟ ସୁପର ସଣ୍ଡେରେ ଭାରତ ଫେଭରିଟ୍ ଭାବେ ଅଭିଯାନ ଆରମ୍ଭ କରିବ ।

ଏସିଆ କପ୍ ୨୦୨୩ ନେଇ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ମନ୍ତବ୍ୟକୁ ନେଇ ଦୁଇ ଦେଶର ବୋର୍ଡ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି । ଏହା ଭାରତ-ପାକିସ୍ତାନ ମ୍ୟାଚ ପାଇଁ ବାତାବରଣକୁ ଆହୁରି ଉଷ୍ମ କରିଛି । ଭାରତ ବିପକ୍ଷ ପରାଜୟ ଧାରାକୁ ଗତ ସଂସ୍କରଣରେ ପାକିସ୍ତାନ ଭାଙ୍ଗିଥିଲା । ଏବେ ପୁଣି ତାର ପୁନରାବୃତ୍ତି କରିବାକୁ ପାକିସ୍ତାନ ଉପରେ ଚାପ ରହିବ ।
ଟିମ୍ କମ୍ବିନେସନ୍ କିପରି ହେବ ତାହା ସର୍ବଦା ଭାରତୀୟ ଦଳ ପାଇଁ ଏକ ସମସ୍ୟା ରହିଆସିଛି । ଆସନ୍ତାକାଲିର ମ୍ୟାଚ ପାଇଁ ଭାରତୀୟ ଦଳର ରୂପରେଖ କିପରି ହେବ ତାହା ଉପରେ ନଜର ରହିବ । ଭାରତ ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ନା ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଖେଳାଇବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଶାହୀନ ଆଫ୍ରିଦିଙ୍କୁ ପାୱାର ପ୍ଲେ’ରେ ଭାରତର ଟପ୍‌-୩ କିପରି ଖେଳିବେ ତାହା ମ୍ୟାଚର ଗତି ନିର୍ଣ୍ଣୟ କରିବ । ଏହାଛଡ଼ା ଗତ କିଛି ସିରିଜରେ ଚିନ୍ତାର କାରଣ ହୋଇଥିବା ଡେଥ ଓଭର ବୋଲିଂରେ ସୁଧାର ଆଣିବାକୁ ପଡ଼ିବ । ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମି ଓ ଭୁବଶ୍ୱେର ଓ ଅର୍ଶଦୀପଙ୍କ ଉପରେ ବୋଲିଂ ବୋଝ ରହିବ ।

Comments are closed.