ମୋଦି-ବାଇଡେନ୍ ସାକ୍ଷାତ ପରେ ମିଳିତ ବିବୃତିରେ ଆତଙ୍କବାଦ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ଭାରତ-ଆମେରିକା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ମଧ୍ୟରେ ଭାରତ ଏବଂ ଆମେରିକା ପାକିସ୍ତାନକୁ ପୁଣି ଥରେ ପରୋକ୍ଷରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ଶୁକ୍ରବାର ହ୍ବାଇଟ୍ ହାଉସରେ ଜୋ ବାଇଡେନ ଓ ମୋଦିଙ୍କ ମଧ୍ୟରେ ସାକ୍ଷାତ ପରେ ଭାରତ ଏବଂ ଆମେରିକା ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ଆଫଗାନିସ୍ତାନର ମାଟି କୌଣସି ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ କବଜା କରିବାରେ ପାକିସ୍ତାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ମିଳିତ ବିବୃତ୍ତିରେ ଉଭୟ ଦେଶ ଆତଙ୍କବାଦ, କରୋନା ଏବଂ ଆନ୍ତର୍ଜାତୀୟ ସୁରକ୍ଷା ସହ ଜଡିତ ଅନେକ ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ।

ଉଭୟ ନେତା କହିଛନ୍ତି ଯେ ତାଲିବାନ ୟୁଏନଏସସି ରିଜୋଲ୍ୟୁସନ ୨୫୯୨ (୨୦୨୧)ର ଅନୁପାଳନ କରିବା ଉଚିତ। ଯେଉଁଥିରେ ଏହା ଉଲ୍ଲେଖ ହୋଇଛି ଯେ ଆଫଗାନିସ୍ତାନ ଅଞ୍ଚଳ ଆଉ କୌଣସି ଦେଶକୁ ଧମକ ଦେବା କିମ୍ବା ଆକ୍ରମଣ କରିବା, ଆତଙ୍କବାଦୀଙ୍କୁ ତାଲିମ ଦେବା ଏବଂ ଆଶ୍ରୟ ଦେବା, ଆତଙ୍କବାଦୀ କାର୍ଯ୍ୟ ପାଇଁ ଷଡ଼ଯନ୍ତ୍ର କରିବା ତଥା ଆର୍ଥିକ ସହାୟତା ଦେବା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ।

ଆମେରିକା ଏବଂ ଭାରତ ତାଲିବାନକୁ ଏହାସହ ଅନ୍ୟାନ୍ୟ ପ୍ରତିଶ୍ରୁତି ପାଳନ କରିବାକୁ କହିଛନ୍ତି। ଏହାସହ ଆଫଗାନିସ୍ତାନରୁ ଆସିଥିବା ଆଫଗାନିସ୍ତାନ ନାଗରିକ ତଥା ସମସ୍ତ ବିଦେଶୀ ନାଗରିକଙ୍କ ନିରାପଦ ତଥା ଶୃଙ୍ଖଳିତ ପ୍ରତ୍ୟାବର୍ତ୍ତନ ଏବଂ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟ, ମହିଳା ଏବଂ ଶିଶୁଙ୍କ ସମେତ ସମସ୍ତ ଆଫଗାନିସ୍ତାନର ମାନବିକ ଅଧିକାରକୁ ସମ୍ମାନ ଦେବା ପାଇଁ ଆହ୍ୱାନ ଦିଓଆଯାଇଛି।

Comments are closed.