ଆଜିଠୁ ଟି-୨୦ ସିରିଜ୍: ଟିମ୍ ଇଣ୍ଡିଆ ପଲା ଭାରି

ତାରୌବା: ଦିନିକିଆ ସିରିଜ ଜିତିବାର ୪୮ ଘଣ୍ଟା ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳ ଏବେ ଟି-୨୦ ଫର୍ମାଟ ମୋଡକୁ ଢଳି ଗୁରୁବାର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ । ନିଜ ଦକ୍ଷତା ପ୍ରମାଣିତ କରିବାକୁ ଯୁବ ଖେଳାଳିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ ।

ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଥିଲା | ଏବେ ଟି-୨୦ ଫର୍ମାଟରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଦଳର ପଲା ଭାରି ରହିବ ବୋଲି ଆଶା କରାଯାଉଛି | ଭାରତୀୟ ଦଳରେ ଯଶସ୍ୱୀ ଜୈସୱାଲ, ତିଳକ ବର୍ମା ଏବଂ ମୁକେଶ କୁମାରଙ୍କ ଭଳି ପ୍ରତିଭାବାନ ଖେଳାଳି ରହିଛନ୍ତି ।

ଆଇପିଏଲରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଆଧାରରେ ବର୍ମା ଏବଂ ଜୈସୱାଲ ପ୍ରଥମ ଥର ପାଇଁ ଭାରତୀୟ ଟି-୨୦ ଦଳରେ ସୁଯୋଗ ପାଇଛନ୍ତି । ସେମାନେ ଏହାର ସମ୍ପୂର୍ଣ୍ଣ ଫାଇଦା ନେବାକୁ ଚାହିଁବେ ।

ଅନ୍ୟପକ୍ଷରେ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ପ୍ରଥମ ବୈଠକରେ ସଞ୍ଜୁ ସାମସନଙ୍କ ଉପରେ ପୁଣି ଆସ୍ଥା ରଖିଛି । ଆଉ ଏହି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମଧ୍ୟ ନିଜ ଚୟନକୁ ଯଥାର୍ଥ ସାବ୍ୟସ୍ତ କରିବାକୁ ଚାହିଁବେ । ରବି ବିଷ୍ଣୋଇ ଦଳକୁ ଫେରିଛନ୍ତି ଯିଏ ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲଙ୍କ ସହ ସ୍ପିନ୍ ବିଭାଗ ସମ୍ଭାଳିବେ ।

ଭାରତୀୟ ଟପ୍ ଅର୍ଡରରେ ଇଶାନ କିଶନ, ଶୁଭମାନ ଗିଲ୍ ଏବଂ ଜୈସୱାଲଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଥିବାବେଳେ ମିଡିଲ୍ ଅର୍ଡରରେ ହାର୍ଦ୍ଦିକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହ ବ୍ୟାଟିଂ ଲାଇନ୍ ଅପ୍ ବହୁତ ଶକ୍ତିଶାଳୀ ଦେଖାଯାଉଛି। ଟସ୍ ଜିତିଲେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିବାରେ ସକ୍ଷମ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ତିନିଟି ୱିକେଟ୍ ନେଇଥିବା ମୁକେଶ କୁମାରଙ୍କ ବ୍ୟତୀତ ଭାରତୀୟ ଦ୍ରୁତ ବୋଲିଂ ବିଭାଗରେ ଅର୍ଶଦୀପ ସିଂ, ଉମ୍ରାନ ମଲିକ ଏବଂ ଅବେଶ ଖାନଙ୍କ ଭଳି ବୋଲର ଅଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ସେମାନେ ଦଳରେ ନିଜ ସ୍ଥାନ ଯଥାର୍ଥ ବୋଲି ପ୍ରମାଣ କରିବାକୁ ଚାହିଁବେ ।

ଯେତେ ଦୂର ୱେଷ୍ଟଇଣ୍ଡିଜ୍ କଥା ଦେଖାଯାଏ, ଟେଷ୍ଟ ଏବଂ ଦିନିକିଆ ସିରିଜ୍ ହାରିବା ପରେ ଦଳର ମନୋବଳ କମ୍ ରହିଛି। ରୋଭମାନ ପାୱେଲଙ୍କ ନେତୃତ୍ବରେ ୧୫ ଜଣିଆ ଦଳକୁ ମଜବୁତ କରିବାକୁ ଶାଇ ହୋପ୍ ଏବଂ ଦ୍ରୁତ ବୋଲର ଓଶାନ ଥୋମାସଙ୍କୁ ଡାକରା ହୋଇଛି ।

ଦିନିକିଆ ସିରିଜରେ ୱେଷ୍ଟଇଣ୍ଡିଜର ଅଧିନାୟକତ୍ୱ କରିଥିବା ହୋପ୍ ଶେଷଥର ଗତ ବର୍ଷ କୋଲକାତାରେ ଭାରତ ବିପକ୍ଷରେ ଏକ ଟି-୨୦ ଖେଳିଥିଲେ । ଥୋମାସ୍ ମଧ୍ୟ ଡିସେମ୍ବର ୨୦୨୧ ରେ କରାଚିରେ ଶେଷ ଟି-୨୦ ଖେଳିଥିଲେ | ସିରିଜର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଅଗଷ୍ଟ ୬ ଏବଂ ୮ ରେ ଗାଏନାରେ ଖେଳାଯିବାକୁ ଥିବା ବେଳେ ଶେଷ ଦୁଇଟି ମ୍ୟାଚ୍ ଅଗଷ୍ଟ ୧୨ ଏବଂ ୧୩ରେ ଆମେରିକାର ଫ୍ଲୋରିଡାଠାରେ ଖେଳାଯିବ |

ଭାରତ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଇଶାନ କିଶନ, ଶୁଭମାନ ଗିଲ, ଯଶସ୍ୱୀ ଜୈସୱାଲ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଅଭେଶ ଖାନ ।

ୱେଷ୍ଟଇଣ୍ଡିଜ୍: ରୋଭମାନ ପାଓ୍ବେଲ (କ୍ୟାପଟେନ), କାଇଲ ମାୟର୍ସ, ଜନସନ ଚାର୍ଲ୍ସ, ରୋଷ୍ଟନ୍ ଚେଜ୍, ଶିମ୍ରନ୍ ହେଟମିୟର, ଜେସନ ହୋଲ୍ଡର, ଶାଇ ହୋପ୍, ଅକିଲ ହୁସେନ୍, ଅଲଜାରି ଜୋସେଫ, ବ୍ରାଣ୍ଡନ କିଙ୍ଗ୍, ଓବେଡ ମ୍ୟାକକୋଇ, ନିକୋଲାସ ପୁରାନ, ରୋମାରିଓ ଶେଫର୍ଡ, ଓଡିଅନ ସ୍ମିଥ୍, ଓଶେନ ଥୋମାସ୍ ।

ମ୍ୟାଚ୍ ସମୟ: ରାତି ୮ ଟାରୁ ।

Comments are closed.