ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍‌, ରିଜର୍ଭ ଖେଳାଳିଙ୍କ ପାଇଁ ସୁଯୋଗ

ପୋର୍ଟ ଅଫ୍ ସ୍ପେନ୍‌ : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ସମ୍ପ୍ରତି ଦିନିକିଆ ଫର୍ମାଟ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବା ବେଳେ ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ରିଜର୍ଭ ଖେଳାଳିଙ୍କ ପାଇଁ ଏହି ସିରିଜ ନିଜ ଦକ୍ଷତା ପ୍ରଦର୍ଶନ କରିବାକୁ ଏକ ସୁଯୋଗ ।

କିଛି ଦିନ ତଳେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଦିନିକିଆରୁ ଅଚାନକ ଅବସର ପରେ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ, ବିଶେଷକରି ଦ୍ୱିପାକ୍ଷିକ କ୍ରିକେଟ୍ ଉପରେ ପୁଣି ବିତର୍କ ଆରମ୍ଭ ହୋଇଛି । ଷ୍ଟୋକ୍ସ ସ୍ପଷ୍ଟ କରିଥିଲେ ଯେ ତାଙ୍କ ପକ୍ଷେ ନିୟମିତ ଭାବେ ତିନୋଟି ଯାକ ଫର୍ମାଟରେ ଖେଳିବା ଅସମ୍ଭବ ହୋଇପଡ଼ିଛି ।

ଟେଷ୍ଟ ଓ ଟି୨୦ କ୍ରିକେଟ୍ ମଧ୍ୟରେ ଦିନିକିଆ ଫର୍ମାଟ ନିଜ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି । ଚଳିତ ବର୍ଷ ଫେବୃୟାରୀରେ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ଖେଳିବା ପାଇଁ ଭାରତ ଗସ୍ତରେ ଆସିଥିଲା । ପ୍ରାୟ ଚାରି ମାସ ପରେ ଦୁଇ ଦଳ ପୁଣି ୮ଟି ସୀମିତ ଓଭର ମ୍ୟାଚରେ ମୁହାଁମୁହିଁ ହେବେ । ତିନୋଟି ଦିନିକିଆ ପରେ ଉଭୟ ଟିମ୍ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ଖେଳାଯିବ ।

ଚଳିତ ବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍ ହେବାକୁ ଥିବା ବେଳେ ଦିନିକିଆ ସିରିଜର ଗୁରୁତ୍ୱ ହ୍ରାସ ପାଇଛି । ତଥାପି ସିନିୟର କ୍ରିକେଟରଙ୍କ ଅନୁପସ୍ଥିତିରେ ଭାରତର ଯୁବ ତଥା ରିଜର୍ଭ ଖେଳାଳି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ସୁଯୋଗ ପାଇବେ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବା ବେଳେ କେବଳ ଦିନିକିଆ କ୍ରିକେଟ୍ ଖେଳୁଥିବା ଧାୱନ ନିଜ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଭାରତୀୟ ଦଳର ନେତୃତ୍ୱ ନେବେ । ରୋହିିତଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରୁ ବିରାଟ କୋହଲି, ମହମ୍ମଦ ସାମି, ଯଶପ୍ରୀତ ବୁମରା, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଧାୱନଙ୍କ ସହ କିଏ ଇନିଂସ୍ ଓପନ କରିବ ତାହା ଦେଖିବା ମଜାଦାର ହେବ । କାରଣ ଶୁଭମାନ ଗିଲ ଦିନିକିଆ ଦଳକୁ ଫେରିଛନ୍ତି । ଧାୱନ ଓ ଗିଲଙ୍କ ଲେପ୍ଟ-ରାଇଟ୍ କମ୍ବିନେସନ୍ ଠିକ୍ ମନେ ହେଉଥିଲେ ମଧ୍ୟ ଦଳରେ ଇଶାନ କିଶାନ ଓ ଋତୁରାଜ ଗାଏକ୍ୱାଡଙ୍କ ଭଳି ରିଜର୍ଭ ଓପନର ମଧ୍ୟ ଅଛନ୍ତି ।

ଭାରତର ମିଡିଲ ଅର୍ଡର ରୂପରେଖ କିପରି ହେବ ତାହା ଚୂଡାନ୍ତ କରିବା ଟିମ୍ ମ୍ୟାନେଜମେଣ୍ଟ ପାଇଁ କଷ୍ଟକରହେବ । ଫର୍ମରେ ଥିବା ଦୀପକ ହୁଡା ତୃତୀୟ ନମ୍ବରରେ ବ୍ୟାଟିଂ କରିବା ଥୟ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହେବା ନିଶ୍ଚିତ । ଏପରି ସ୍ଥଳେ ଶ୍ରେୟସ ଆୟାର ଓ ସଞ୍ଜୁ ସାମସନଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ପଡ଼ିବ । ଇଂଲଣ୍ଡ ଗସ୍ତରେ ବିଫଳ ହୋଇଥିବା ଆୟରଙ୍କ ଉପରେ ଚାପ ରହିବ । ସେହି ଗସ୍ତରେ ସେ ସର୍ଟ ବଲ୍ ଆଗରେ ଅସହାୟ ମନେ ହୋଇଥିଲେ । ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ଶାର୍ଦ୍ଦୁଲ ଠାକୁର ଭାରତର ପେସ୍ ବୋଲିଂ ବିକଳ୍ପ ହେବେ ।

ଭାରତ: ଶିଖର ଧାୱନ୍ (ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁଭମାନ ଗିଲ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଶାନ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅବେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ।

ୱେଷ୍ଟଇଣ୍ଡିଜ୍‌: ନିକୋଲାସ୍ ପୁରାନ (ଅଧିନାୟକ), ଶାଇ ହୋପ୍‌, ସମରା ବ୍ରୁକ୍ସ, କିସି କାର୍ଟି, ଜାସନ୍ ହୋଲ୍ଡର, ଅକିଲ ହୁସେନ, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ୍ କିଙ୍ଗ୍‌, କାଇଲ ମାୟର୍ସ, ଗୁଡାକେଶ ମୋତି, କିମୋ ପଲ୍‌, ରୋଭମ୍ୟାନ୍ ପାୱେଲ, ଜେଡେନ୍ ସିଲ୍ସ ।

ମ୍ୟାଚ୍ ସମୟ: ସନ୍ଧ୍ୟା ୭ଟା

Comments are closed.