ଯଶସ୍ବୀ-ଅଶ୍ୱିନଙ୍କ ଚମକ: ପ୍ରଥମ ଟେଷ୍ଟକୁ ଇନିଂସ୍ ଓ ୧୪୧ ରନରେ ଜିତିଲା ଭାରତ

ରୋସିୟୁ: ଡେବୁଟାଣ୍ଟ ଯଶସ୍ବୀ ଜୈସୱାଲଙ୍କ ବଡ଼ ଶତକୀୟ ପାଳି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଯାଦୁକରୀ ସ୍ପିନ୍ ବଳରେ ଭାରତ ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜକୁ ଏକ ଇନିଂସ ଓ ୧୪୧ ରନରେ ହରାଇ ଦେଇଛି । ମାତ୍ର ତିନି ଦିନ ମଧ୍ୟରେ ଏହି ବଡ଼ ବିଜୟ ସହ ଭାରତ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।

ଡୋମିନିକାର ୱିଣ୍ଡସର୍ ପାର୍କରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଉଭୟ ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ଚମତ୍କାର ପ୍ରଦର୍ଶନ କରିଥିଲା । ତୃତୀୟ ଦିନର ଲଞ୍ଚ ବିରତି ପରେ ଭାରତ ପ୍ରଥମ ଇନିଂସକୁ ୪୨୧/୫ରେ ଘୋଷଣା କରିଥିଲା। ଭାରତ ୨୭୧ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା। ପରେ ୱେଷ୍ଟଇଣ୍ଡିଜ୍ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୩୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସରେ ୫ ଓ୍ବିକେଟ୍ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ନେଇଥିଲେ।

ଟେଷ୍ଟ ପଦାର୍ପଣରେ ୧୭୧ ରନର ଇନିଂସ୍ ଖେଳିଥିବା ଯଶସ୍ବୀ ଜୈସୱାଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଜୁଲାଇ ୨୦ରୁ ପୋର୍ଟ ଅଫ୍ ସ୍ପେନରେ ଖେଳାଯିବ ।

ୱେଷ୍ଟଇଣ୍ଡିଜ୍ ଦଳ ଏହି ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମ ଇନିଂସରେ ମାତ୍ର ୧୫୦ ରନରେ ଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ପ୍ରଥମ ଇନିଂସରେ ଅଶ୍ୱିନ ୫ ୱିକେଟ୍ ନେଇଥିଲେ। ଜବାବରେ କ୍ୟାପଟେନ ରୋହିତ ଏବଂ ଯଶସ୍ୱୀ ଜୈସୱାଲଙ୍କ ଓପନିଂ ଯୋଡି ଦଳକୁ ଭଲ ଆରମ୍ଭ ଦେଇଥିଲେ ।

ରୋହିତ ଏବଂ ଯଶସ୍ୱୀ ପ୍ରଥମ ୱିକେଟ୍ ପାଇଁ ୨୨୯ ରନର ଭାଗିଦାରୀ କରିଥିଲେ | ରୋହିତ ୧୦୩ ରନର ଇନିଂସ ଖେଳିବା ପରେ ପ୍ୟାଭିଲିୟନ ଫେରିଥିଲେ | ଯଶସ୍ବୀ ଡେବ୍ୟୁରେ ହିଁ ଚମକିଥିଲେ। ସେ ୧୭୧ ରନର ପାଳି ଖେଳି ଅନେକ ରେକର୍ଡର ଅଧିକାରୀ ହୋଇଥିଲେ । ବିରାଟ କୋହଲି ମଧ୍ୟ ୭୬ ରନ୍‌ର ଯୋଗଦାନ କରିଥିଲେ । ରବିନ୍ଦ୍ର ଜାଡେଜା ୩୭ ରନ୍ କରି ଅପରାଜିତ ରହିଥିଲେ। ଭାରତ ୫ ୱିକେଟ୍ ହରାଇ ୪୨୧ ରନରେ ନିଜ ପ୍ରଥମ ଇନିଂସ ଘୋଷଣା କରିଥିଲ । ଦଳ ୨୭୧ ରନର ଅଗ୍ରଣୀ ହାସଲ କରିଥିଲା |

ତୃତୀୟ ଦିନର ଦ୍ୱିତୀୟ ସେସନରେ ଭାରତୀୟ ଦଳ ପ୍ରଥମ ଇନିଂସ ଘୋଷଣା କଲା ପରେ ଦିନରେ ଆହୁରି ପ୍ରାୟ ୫୦ ଓଭର ଖେଳ ବାକି ଥିଲା। ହେଲେ ଅଶ୍ୱିନ୍ ପୁଣି ନିଜ ସ୍ପିନ୍ ଯାଦୁରେ ୱିଣ୍ଡିଜ୍ ଦଳକୁ ଘାଇଲା କରି ଭାରତକୁ ସହଜ ବିଜୟ ଦେଇଥିଲେ | ୱେଷ୍ଟଇଣ୍ଡିଜର ଅଧା ବ୍ୟାଟ୍ସମ୍ୟାନ ୫୮ ରନ୍ ସ୍କୋରରେ ପାଭିଲିୟନ ଫେରିଯାଇଥିଲେ। ପରେ ପୁରା ଦଳ ୧୩୦ ରନରେ ଆଉଟ୍ ହୋଇଥିଲା | ଅଷ୍ଟମ ଥର ପାଇଁ ଅଶ୍ୱିନ୍ ଏକ ଟେଷ୍ଟରେ ୧୦ରୁ ଅଧିକ ୱିକେଟ୍ ନେଇଥିଲେ ।

Comments are closed.