ଭାରତ ସିରିଜ୍ ବିଜୟୀ

ରାୟପୁର: ଭାରତ ଚତୁର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ୨୦ ରନରେ ପରାସ୍ତ କରିଛି। ଏଥିସହ ଭାରତ ୩-୧ ଅଗ୍ରଣୀ ହାସଲ ପୂର୍ବକ ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଜିତିନେଇଛି | ଭାରତ ମଧ୍ୟ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ କରିଛି | ଏହି ଫର୍ମାଟରେ ଏହା ଭାରତର ୧୩୬ ତମ ବିଜୟ ଥିଲା । ଏଥିସହ ଭାରତ ପାକିସ୍ତାନକୁ (୧୩୫)କୁ ପଛରେ ପକାଇ ଦେଇଛି ।

ରାୟପୁରରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତ ଟସ୍ ହାରି ପରେ ବ୍ୟାଟିଂ କରିଥିବା ବେଳେ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟ୍ ବିନିମୟରେ ମାତ୍ର ୧୫୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ତରଫରୁ ଅକ୍ଷର ପଟେଲ ୩ଟି ଓ ଦୀପକ ଚହର ୨ଟି ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ମାଥ୍ୟୁ ଓ୍ବେଡ୍ ଅପରାଜିତ ୩୬ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୩୧ ଓ ମାଥ୍ୟୁ ସର୍ଟ ୨୨ ରନ୍ କରିଥିଲେ ।

ପୂର୍ବରୁ ଭାରତ ପୁଣି ଟସ୍ ହାରି ବ୍ୟାଟିଂ କରିଥିବା ବେଳେ ରିଙ୍କୁ ସିଂ ପୁଣି ଚମକିଥିଲେ । ସେ ଦଳ ତରଫରୁ ସର୍ବାଧିକ ୪୬ ରନ୍ କରିଥିଲେ । ଏହି ଉଦୀୟମାନ ବ୍ୟାଟ୍ସମ୍ୟାନ୍ ୨୯ ବଲ୍ ଖେଳିଥିବା ବେଳେ ୪ଟି ଚୌକା ଓ ଦୁଇଟି ଛକା ମାରିଥିଲେ । ଆଉ ଜଣେ ଯୁବ ବ୍ୟାଟ୍ସମ୍ୟାନ୍ ମାତ୍ର ୧୯ ବଲରେ ୩ଟି ଛକା ଓ ଗୋଟିଏ ଚୌକା ସହ ଦ୍ରୁତ ୩୫ ରନ୍ କରିଥିଲେ । ଯଶସ୍ବୀ ଜୈସୱାଲ ୩୭ ଓ ଋତୁରାଜ ଗାଏକୱାଡ ୩୨ ରନ୍ କରିଥିଲେ । ରିଙ୍କୁ ସିଂ ଆଉଟ୍ ହେବା ପରେ ଭାରତ ଡେଥ୍ ଓଭରରେ ଆଶାନୁରୂପ ରନ୍ ସଂଗ୍ରହ କରିପାରିନଥିଲା ।

Comments are closed.