ଗିଲଙ୍କ ବିସ୍ଫୋରଣ: ନ୍ୟୁଜିଲାଣ୍ଡକୁ ୧୬୮ ରନରେ ମାତ୍ ଦେଇ ସିରିଜ୍ ଜିତିଲା ଭାରତ

ଅହମ୍ମଦାବାଦ: ଯୁବ ଓପନର ଶୁଭମାନ ଗିଲଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ ବଳରେ ଭାରତ ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡକୁ ୧୬୮ ରନରେ ଧରାଶାୟୀ କରି ବୃହତ ବିଜୟ ହାସଲ କରିଛି । ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି । ପୂର୍ବରୁ ଭାରତ ତିନି ମ୍ୟାଚ୍ ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା । ଭାରତରେ ବିରଳ ସିରିଜ୍ ବିଜୟ ନେଇ ନ୍ୟୁଜିଲାଣ୍ଡର ସ୍ୱପ୍ନ ଏହି ଲଜ୍ଜାଜନକ ପରାଜୟ ସହ ପୁଣି ଧୂଳିସାତ ହୋଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଗିଲଙ୍କ ଶତକ ବଳରେ ୪ ୱିକେଟ୍ ହରାଇ ୨୩୪ ରନର ବିଶାଳ ସ୍କୋର କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଫର୍ମାଟରେ ଭାରତର ସର୍ବୋଚ୍ଚ ସ୍କୋର ଥିଲା । ପ୍ରଥମ ଦୁଇଟି ମ୍ୟାଚରେ ବିଫଳ ହୋଇଥିବା ଗିଲ୍ ଏହି ସିରିଜ୍ ନିର୍ଣ୍ଣାୟକରେ ଛକା, ଚୌକା ବର୍ଷା କରି ନିଜ ଟି୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ସେ ମାତ୍ର ୬୩ଟି ବଲରେ ୧୨ଟି ଚୌକା ଓ ୭ଟି ଛକା ସହ ଅପରାଜିତ ୧୨୬ ରନ୍ କରିଥିଲେ । ଅନ୍ତର୍ଜାତୀୟ ଟି୨୦ରେ ଏହା କୌଣସି ଭାରତୀୟଙ୍କ ଦ୍ୱାରା ସର୍ବୋଚ୍ଚ ସ୍କୋର । ଏଥିସହ ସେ ବିରାଟ କୋହଲି (୧୨୨)ଙ୍କୁ ଟପିଥିଲେ । ଏହାଛଡ଼ା ଗିଲ୍ ପଞ୍ଚମ ଭାରତୀୟ ଭାବେ ତିନୋଟି ଯାକ ଫର୍ମାଟରେ ଶତକ ହାସଲ କରିବାର ଗୌରବ ଅର୍ଜନ କରିଥିଲେ । ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ ଓ ସୁରେଶ ରାଇନା ଏଭଳି କୀର୍ତ୍ତିମାନ କରିଥିଲେ ।
ଭାରତ ପ୍ରଦତ୍ତ ଏହି ଏଭରେଷ୍ଟ ସଦୃଶ ବିଜୟଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ଟିମ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୨.୧ ଓଭରରେ ମାତ୍ର ୬୬ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ କେବଳ ଡାରିଲ ମିଚେଲ (୩୫) ଓ କାମଚଳା ଅଧିନାୟକ ମିଚେଲ ସାଣ୍ଟନର (୧୩) ଦୁଇଅଙ୍କ ଛୁଇଁବାକୁ ସମର୍ଥ ହୋଇଥିଲେ । ଭାରତ ତରଫରୁ କ୍ୟାପଟେନ୍ ପାଣ୍ଡ୍ୟା ୪ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ, ଉମ୍ରାନ ମଲିକ୍ ଓ ଶିବମ ମାଭି ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ରନ୍ ଦୃଷ୍ଟିରୁ ଟି୨୦ ଫର୍ମାଟରେ ଭାରତର ଏହା ସର୍ବବୃହତ ବିଜୟ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଏହା ଏହି ଫର୍ମାଟରେ ସବୁଠୁ ବଡ଼ ପରାଜୟ ।
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୭ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଇଶାନ କିଷନ(୧) ପାଭିଲିୟନ ଫେରିଥିଲେ। ଏହା ପରେ ଗିଲ୍ ଏବଂ ରାହୁଲ ତ୍ରିପାଠୀ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୦ ରନ ଯୋଡିଥିଲେ। ରାହୁଲ ତ୍ରିପାଠୀ ଦ୍ରୁତ ବ୍ୟାଟିଂ କରି ମାତ୍ର ୨୨ ବଲ୍‌ରୁ ୪ ଚୌକା ଏବଂ ୩ ଛକା ସହ ୪୪ ରନ କରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ୧୩ ବଲ୍‌ରୁ ଦ୍ରୁତ ୨୪ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଶୁଭମାନ ଗିଲ୍ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ।

ସେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଏହି କ୍ରମରେ ନିଜର ଚମତ୍କାର ବ୍ୟାଟିଂ ଜାରି ରଖି ଗିଲ୍ ଟି-୨୦ ଅନ୍ତର୍ଜାତୀୟରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରି ଆଉଟ୍ ହୋଇଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୩ ରନ ଯୋଡିଥିଲେ। ଗିଲ୍ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୬୩ ବଲ୍‌ରୁ ୧୨ ଚୌକା ଏବଂ ୭ ଛକା ସହ ୧୨୬ ରନ କରି ଅପରାଜିତ ଥିଲେ। ଏହି ଫର୍ମାଟରେ କୌଣସି ଭାରତୀୟଙ୍କ ଦ୍ଵାରା ଏହା ହେଉଛି ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର । ତାଙ୍କର ଏହି ଶତକ ଦମରେ ଭାରତ ୪ ଓ୍ଵିକେଟ୍ ହରାଇ ୨୩୪ ରନର ବିଶାଳ ସ୍କୋର୍ କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ଭାରତର ସର୍ବୋଚ୍ଚ ସ୍କୋର୍ ଥିଲା ।

Comments are closed.