ଅହମ୍ମଦାବାଦ: ଭାରତର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କ ରବିବାର ସକାଳେ ତାଙ୍କ ଜାମନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।
ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ପ୍ରସିଦ୍ଧି ହାସଲ କରିଥିଲେ ଦୁରାନି । ସେ ଭାରତ ପାଇଁ ୨୯ଟି ଟେଷ୍ଟ ଖେଳି ୭୫ ୱିକେଟ୍ ନେଇଥିଲେ । ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୧୭୭/୧୦ । ଏହାଛଡ଼ା ସେ ବ୍ୟାଟ୍ସମ୍ୟାନ୍ ଭାବେ ୧୨୦୨ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୪ ଥିଲା ତାଙ୍କ ଶ୍ରେଷ୍ଠ ସ୍କୋର ।
୧୯୬୧-୬୨ ମସିହାରେ ଇଂଲଣ୍ଡ ବିପକ୍ଷରେ ଭାରତର ସିରିଜ୍ ବିଜୟରେ ଚମତ୍କାର ପ୍ରଦର୍ଶନ ସହ ଚର୍ଚ୍ଚାକୁ ଆସିଥିଲେ ଦୁରାନି | ସେ କୋଲକାତା ଏବଂ ଚେନ୍ନାଇ ଟେଷ୍ଟରେ ଯଥାକ୍ରମେ ୮ ଓ ୧୦ଟି ୱିକେଟ୍ ନେଇ ଭାରତକୁ ୨-୦ ସିରିଜ୍ ବିଜୟ ଦେଇଥିଲେ ।
ଆଫଗାନିସ୍ତାନ ଜନ୍ମିତ ଦୁରାନି ଗୁଜରାଟ ବିପକ୍ଷ ପ୍ରଥମ ରଣଜୀ ଟ୍ରଫି ମ୍ୟାଚରୁ ହିଁ ନିଜ ଅଲରାଉଣ୍ଡ ପ୍ରଦର୍ଶନ ସହ ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥିଲେ ।
୧୯୬୭ ରୁ ୧୯୭୦ ପର୍ଯ୍ୟନ୍ତ ଚାରି ସିଜନ୍ ଧରି ଡ୍ରପ୍ ହେବା ପରେ ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଦୁରାନୀ ଭାରତୀୟ ଦଳକୁ ଫେରିଥିଲେ । ଏବଂ ସେ ସେଠାରେ ଭାରତର ଐତିହାସିକ ପ୍ରଥମ ସିରିଜ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ପୋର୍ଟ ଅଫ୍ ସ୍ପେନ୍ ଟେଷ୍ଟରେ ସେ ଗ୍ୟାରି ସୋବର୍ସ ଓ କ୍ଲାଏଭ୍ ଲୟଡଙ୍କୁ ଆଉଟ୍ କରିଥିବା ବେଳେ ଭାରତ ଟେଷ୍ଟ ସହ ସିରିଜ୍ ଜିତିଥିଲା।
ଦୁରାନି ଏପରି ଜଣେ କ୍ରିକେଟର ଥିଲେ ଯିଏକି ଦର୍ଶକ ଦାବି କରିବା ମାତ୍ରେ ଛକା ମାରୁଥିଲେ । ଅର୍ଜୁନ ପୁରସ୍କାର ପାଇବାରେ ସେ ଥିଲେ ଭାରତର ପ୍ରଥମ କ୍ରିକେଟର ।
ଘରୋଇ କ୍ରିକେଟରେ ଦୁରାନି ସୌରାଷ୍ଟ୍ର, ରାଜସ୍ଥାନ ଏବଂ ଗୁଜରାଟ ପାଇଁ ରଣଜୀ ଟ୍ରଫି ଖେଳିଥିଲେ ।
Comments are closed.