ପ୍ୟାରିସ ଅଲିମ୍ପିକ୍ସ: ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ପୁରୁଷ ହକି ଟିମ୍

ଲୋଜାନ୍: ଚଳିତ ବର୍ଷ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସର ହକି ଇଭେଣ୍ଟ ପାଇଁ କାର୍ଯ୍ୟସୂଚୀ ବୁଧବାର ଘୋଷଣା କରାଯାଇଛି। ଭାରତୀୟ ପୁରୁଷ ହକି ଦଳ ଜୁଲାଇ ୨୭ରେ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ।

ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ଜିତିଥିବା ଭାରତ ପୁଲ୍ ବି’ରେ ସ୍ଥାନ ପାଇଛି | ଜୁଲାଇ ୨୭ରେ ନ୍ୟୁଜିଲ୍ୟାଣ୍ଡ ସହ ମୁହାଁମୁହିଁ ହେବା ପରେ ଭାରତ ଜୁଲାଇ ୨୯ରେ ଆର୍ଜେଣ୍ଟିନା, ଜୁଲାଇ ୩୦ରେ ଆୟର୍ଲାଣ୍ଡ, ଅଗଷ୍ଟ ୧ରେ ବେଲଜିୟମ ଏବଂ ଅଗଷ୍ଟ ୨ରେ ଅଷ୍ଟ୍ରେଲିଆକୁ ଭେଟିବ ।

ନେଦରଲ୍ୟାଣ୍ଡସ୍, ସ୍ପେନ୍, ଜର୍ମାନୀ, ଫ୍ରାନ୍ସ, ଗ୍ରେଟ୍ ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକା ପୁଲ୍ ଏ’ରେ ସ୍ଥାନ ପାଇଛନ୍ତି।

କ୍ୱାର୍ଟର ଫାଇନାଲ ଅଗଷ୍ଟ ୪ରେ ଖେଳାଯିବାକୁ ଥିବାବେଳେ ସେମିଫାଇନାଲ ଅଗଷ୍ଟ ୬ରେ ଖେଳାଯିବ | ବ୍ରୋଞ୍ଜ ପଦକ ପ୍ଲେ ଅଫ୍ ଏବଂ ଫାଇନାଲ୍ ଅଗଷ୍ଟ ୮ରେ ଅନୁଷ୍ଠିତ ହେବ |

ହକି କାର୍ଯ୍ୟସୂଚୀ ଘୋଷଣା ବେଳେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ମୁଖ୍ୟ ଥୋମାସ୍ ବାକ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ତାଏବ ଇକ୍ରାମ ଉପସ୍ଥିତ ଥିଲେ।

କଲମ୍ବସର ୟେଭ୍-ଡୁ-ମେନୋୟର ଷ୍ଟାଡିୟମରେ ହକି ମ୍ୟାଚ୍ ଗୁଡ଼ିକ ଖେଳାଯିବ। ଗତ ଟୋକିଓ ଅଲିମ୍ପିକ୍ସର ପୁରୁଷ ବର୍ଗରେ ବେଲଜିୟମ ଟାଇଟଲ୍ ଜିତିଥିଲା ।

Comments are closed.