ଏସୀୟ କ୍ରୀଡ଼ା: ୯ ବର୍ଷ ପରେ ସ୍ବର୍ଣ୍ଣ ଜିତିଲା ଭାରତୀୟ ପୁରୁଷ ହକି ଦଳ

ହାଙ୍ଗଝୋ : ଏସୀୟ କ୍ରୀଡ଼ାରେ ପୁରୁଷ ହକିରେ ସ୍ବର୍ଣ୍ଣ ଜିତିଛି ଭାରତ । ଫାଇନାଲରେ ଭାରତ ୫-୧ ଗୋଲରେ ଜାପାନକୁ ହରାଇ ୯ ବର୍ଷ ପରେ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏଥିସହ‌ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ମଧ୍ୟ ଅର୍ଜନ କରିଛି |

ଫାଇନାଲରେ ଭାରତ ପକ୍ଷରୁ କ୍ୟାପଟେନ ହରମନପ୍ରୀତ ସିଂ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ମନପ୍ରୀତ ସିଂ, ଅମିତ ରୋହିଦାସ ଓ ଅଭିଷେକ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।

ଭାରତୀୟ ପୁରୁଷ ହକି ଦଳ ଏସୀୟ କ୍ରୀଡ଼ାରେ ଚତୁର୍ଥ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି। ଏହା ପୂର୍ବରୁ ଭାରତ ୧୯୬୬, ୧୯୯୮ ଏବଂ ୨୦୧୪ ସଂସ୍କରଣରେ ସ୍ୱର୍ଣ୍ଣ ଜିତିଥିଲା ।

୧୯୫୮ ଠାରୁ ଏସୀୟ କ୍ରୀଡ଼ାରେ ହକି ସାମିଲ ହେବା ପରଠାରୁ ଭାରତ ଏଯାବତ୍ ୧୬ଟି ପଦକ ଜିତିଛି | ଏଥିମଧ୍ୟରେ ୪ଟି ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ରହିଛି |

ହକିରେ ଗୋଲ୍ଡ ମେଡାଲ ପରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୨ରେ ପହଞ୍ଚିଛି | ଏପର୍ଯ୍ୟନ୍ତ ଭାରତ ଏହି ସଂସ୍କରଣରେ ମୋଟ ୯୫ ପଦକ ଜିତିଛି ।

Comments are closed.