ଭାରତୀୟ ଛାତ୍ରଙ୍କ ଉପରେ ରାଗ ସୁଝାଉଛି ୟୁକ୍ରେନ, ଦୁର୍ବ୍ୟବହାର କରୁଛନ୍ତି ୟୁକ୍ରେନ ସେନା

ନୂଆଦିଲ୍ଲୀ:ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସେଠାରେ ଫସି ରହିଥିବା କିଛି ଭାରତୀୟ ଡାକ୍ତରୀ ଛାତ୍ର ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ପୋଲାଣ୍ଡ ନିକଟରେ ଥିବା ୟୁକ୍ରେନ ଚେକପୋଷ୍ଟରେ ସେମାନଙ୍କୁ ୟୁକ୍ରେନର ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରୁଛନ୍ତି । ୟୁକ୍ରେନ ସଙ୍କଟ ଉପରେ ଜାତିସଂଘ ଭୋଟରୁ ଭାରତ ଦୂରେଇ ରହିଥିବାରୁ ଏହାର ରାଗ ୟୁକ୍ରେନ ଭାରତୀୟ ଛାତ୍ରଙ୍କ ଉପରେ ସୁଝାଉଛି।

ଭାରତୀୟ ଛାତ୍ରମାନେ କହିଛନ୍ତି ଯେ ସେମାନଙ୍କୁ ପ୍ରାୟ ବନ୍ଧକ ପରି ଅବସ୍ଥାରେ ରଖାଯାଉଛି । ସେମାନଙ୍କୁ ଖାଦ୍ୟ ଏବଂ ପାଣି ମଧ୍ୟ ଦିଆଯାଉ ନାହିଁ ।

ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଏଭଳି ରୂକ୍ଷ ଆଚରଣ କେବଳ ସେମାନଙ୍କ ପ୍ରତି କରାଯାଇଛି । କାରଣ ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ମିଳିତ ଜାତିସଂଘର ସଂକଳ୍ପ ଉପରେ ଭୋଟିଂରୁ ଭାରତ ନିଜକୁ ଦୂରେଇ ରଖିଛି।

ଛାତ୍ରମାନେ ସେମାନଙ୍କ ଏପରି ଦୁର୍ଦ୍ଦଶାର ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେମାନଙ୍କୁ ଭୟଭୀତ କରିବା ପାଇଁ ୟୁକ୍ରେନ ସୈନିକମାନେ ଫାଙ୍କା ଗୁଳି ଚଳାଇବା ସହ ଛାତ୍ରମାନଙ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳୁଛି ।

ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଶହ ଶହ ଭାରତୀୟ ଛାତ୍ରଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇ ଭାରତକୁ ଅଣାଯାଇଛି । ତଥାପି ସେଠାରେ ଏବେ ମଧ୍ୟ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢୁଥିବା ହଜାର ହଜାର ଛାତ୍ର ପୋଲାଣ୍ଡ ସୀମାରେ ଅଟକି ରହିଛନ୍ତି।

ଯୁଦ୍ଧରୁ ବଞ୍ଚିବା ପାଇଁ ଅନେକ ଛାତ୍ର ଟ୍ରେନ୍, କାର୍ ଓ ବସ୍ ଯୋଗେ ସେଠାରେ ପହଞ୍ଚିଛନ୍ତି। ଏପରିକି କିଛି ଛାତ୍ର ପଡୋଶୀ ଦେଶକୁ ଯିବା ପାଇଁ ମାଇଲ୍ ମାଇଲ୍ ବାଟ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି ।

Comments are closed.