ହରମନପ୍ରୀତଙ୍କ ବିସ୍ଫୋରକ ଶତକ: ୨୩ ବର୍ଷ ପରେ ଇଂଲଣ୍ଡରେ ସିରିଜ୍ ଜିତିଲା ଭାରତୀୟ ମହିଳା ଦଳ

କ୍ୟାଣ୍ଟରବରୀ: କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ବିସ୍ଫୋରକ ଶତକ ବଳରେ ଭାରତୀୟ ମହିଳା ଦଳ ଏଠାରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ଇଂଲଣ୍ଡକୁ ୮୮ ରନରେ ଧରାଶାୟୀ କରିଛି। ଏହି ଦମଦାର ବିଜୟ ସହ ଭାରତୀୟ ଦଳ ୨-୦ ଅଗ୍ରଣୀ ପୂର୍ବକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ କବଜା କରିନେଇଛି । ଇଂଲଣ୍ଡ ମାଟିରେ ୨୩ ବର୍ଷ ପରେ ଭାରତୀୟ ମହିଳା ଦଳ ଏକ ଦିନିକିଆ ସିରିଜ୍ ଜିତିଛି | ଶେଷଥର ଅଞ୍ଜୁମ ଚୋପ୍ରାଙ୍କ ନେତୃତ୍ବରେ ଭାରତ ୧୯୯୯ରେ ଇଂଲଣ୍ଡରେ ୨-୧ରେ ସିରିଜ୍ ବିଜୟୀ ହୋଇଥିଲା ।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୩ ରନର ବିଶାଳ ସ୍କୋର କରିଥିଲା। ଇଂଲଣ୍ଡ ବିପକ୍ଷ ଦିନିକିଆରେ ଏହା ଟିମ୍ ଇଣ୍ଡିଆର ସର୍ବାଧିକ ସ୍କୋର | ଦଳ ପକ୍ଷରୁ କ୍ୟାପଟେନ ହରମନପ୍ରୀତ କୌର ମାତ୍ର ୧୧୧ ବଲରେ ୧୪୩ ରନ କରିଥିଲେ। ତାଙ୍କର ଏହି ଧମାକାଦାର ଇନିଂସରେ ୧୮ ଟି ଚୌକା ଓ ୪ଟି ଛକା ସାମିଲ ଥିଲା | ଦିନିକିଆ କ୍ରିକେଟରେ ଏହା ତାଙ୍କର ପଞ୍ଚମ ଶତକ | ଇଂଲଣ୍ଡରେ ଦିନିକିଆ ଶତକ ହାସଲ କରିବାରେ ହରମନପ୍ରୀତ ହେଉଛନ୍ତି ଏସିଆର ପ୍ରଥମ କ୍ୟାପଟେନ ।

ହରମନପ୍ରୀତଙ୍କ ବ୍ୟତୀତ ହର୍ଲୀନ ଦେଓଲ ମଧ୍ୟ ମ୍ୟାଚରେ ୫୮ ରନର ଚମତ୍କାର ଇନିଂସ ଖେଳିଥିଲେ। ଶେଷ ୨୪ ବଲରେ ଟିମ୍ ଇଣ୍ଡିଆ ୭୧ ରନ୍ ଯୋଡିଥିଲା। ଷଷ୍ଠ ୱିକେଟ୍ ପାଇଁ ହରମନପ୍ରୀତ ଏବଂ ଦୀପ୍ତି ଶର୍ମା ମାତ୍ର ୨୪ ବଲରେ ୭୧ ରନ୍ ସଂଗ୍ରହ କରିଥିଲେ। ଏହି ଭାଗିଦାରୀରେ ଦୀପ୍ତିଙ୍କ ଅବଦାନ ଥିଲା ୧୫ ରନ୍ ।

ଭାରତ ପ୍ରଦତ୍ତ ୩୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ଦଳ ୪୪.୨ ଓଭରରେ ୨୪୫ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଦ୍ରୁତ ବୋଲର ରେଣୁଜା ସିଂ ଚମତ୍କାର ଚମତ୍କାର ପ୍ରଦର୍ଶନ ସହ ୪ଟି ୱିକେଟ୍ ନେଇଥିଲେ। ହେମଲତା ୨ଟି ୱିକେଟ୍ ପାଇଥିବାବେଳେ ଦୀପ୍ତି ସିଂ ଏବଂ ଶେଫାଳି ବର୍ମା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ଏହି ମ୍ୟାଚରେ ଭାରତର ଷ୍ଟାର୍ ବ୍ୟାଟର୍ ସ୍ମୃତି ମନ୍ଧାନା ଦିନିକିଆ କ୍ରିକେଟ୍ ରେ ୩୦୦୦ ରନ୍ ପୂରଣ କରିଥିଲେ। ମହିଳା ଦିନିକିଆରେ ଏହି ସଫଳତା ହାସଲ କରିବାରେ ସେ ତୃତୀୟ ଭାରତୀୟ ଖେଳାଳି | ତାଙ୍କ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମିତାଲି ରାଜ ଏବଂ ବର୍ତ୍ତମାନର ଅଧିନାୟକ ହରମନପ୍ରୀତ କୌର ଏହା କରିଛନ୍ତି। ମନ୍ଧାନା ଦ୍ରୁତତମ ୩୦୦୦ ରନ୍ କରିବାରେ ଭାରତର ପ୍ରଥମ ମହିଳା । ମେ ମାତ୍ର ୭୬ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁ ପୂର୍ବତନ ଅଧିନାୟିକ ମିତାଲି ରାଜ (୮୮ ଇନିଂସ)ଙ୍କୁ ପଛରେ ପକାଇଥିଲେ ।

Comments are closed.