ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ସଦ୍ୟତମ ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ହାର ୯.୨୭% ​​କୁ ଖସି ଆସିଛି । ତେବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୦୭୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଦେଶରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୫,୦୦,୦୫୫ ଲୋକ ପ୍ରାଣ ହରାଇଛନ୍ତି। ଭାରତ ବିଶ୍ୱର ତୃତୀୟ ଦେଶ ଯେଉଁଠାରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୪୯ ହଜାର ୩୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୫୬୯ କୁ ହ୍ରାସ ପାଇଛି। ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୫୫ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଦିନକରେ ଆଉ ଦୁଇ ଲକ୍ଷ ୪୬ ହଜାର ୬୭୪ ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୪ କୋଟି ୧୭ ହଜାର ୮୮କୁ ବୃଦ୍ଧି ପାଇଛି।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୬୮ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୫୫ ଲକ୍ଷ ୫୮ ହଜାର ୭୬୦ ଡୋଜ ଦିଆଯାଇଥିଲା ‌।

Comments are closed.