ରାଜ୍ୟଗୋଷ୍ଠୀ କ୍ରୀଡା: ଭାରୋତ୍ତୋଳନରେ ପୁଣି ପଦକ, ନୂଆ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ଜେରେମି ଲାଲନିରୁଙ୍ଗା

ବର୍ମିଂହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ଭାରୋତ୍ତୋଳକଙ୍କ ପଦକ ବର୍ଷା ଜାରି ରହିଛି । ତୃତୀୟ ଦିନରେ ଏହି ଇଭେଣ୍ଟରୁ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ । ଭାରତର ୧୯ ବର୍ଷୀୟ ଜେରେମି ଲାଲନିରୁଙ୍ଗା ପୁରୁଷ ୬୭ କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରେକର୍ଡ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସ୍ନାଚରେ ଜେରେମି ୧୪୦ କିଲୋଗ୍ରାମ ଉଠାଇ ଏକ ନୂତନ ଗେମ୍ସ ରେକର୍ଡ ସ୍ଥାପନ କରିଥିବାବେଳେ କ୍ଲିନ୍ ଏବଂ ଜର୍କରେ ସେ ୧୬୦ କିଲୋଗ୍ରାମ ସହ ମୋଟ ୩୦୦ କିଲୋଗ୍ରାମ ଉଠାଇ ନିଜ ବର୍ଗରେ ଏକ ନୂଆ ରେକର୍ଡ କରିଛନ୍ତି |

ଭାରୋତ୍ତୋଳନରେ ଭାରତର ଏହା ଦ୍ବିତୀୟ ସ୍ବର୍ଣ୍ଣ ଏବଂ ମୋଟ ପଞ୍ଚମ ପଦକ | ଲାଲନିରୁଙ୍ଗା ଜେରେମିଙ୍କ ପୂର୍ବରୁ ସଙ୍କେତ ସରଗର (ରୌପ୍ୟ), ଗୁରୁରାଜ ପୂଜାରୀ (ବ୍ରୋଞ୍ଜ), ମୀରାବାଇ ଚାନୁ (ସ୍ବର୍ଣ୍ଣ) ଏବଂ ବିନ୍ଦ୍ୟାରାଣୀ ଦେବୀ (ରୌପ୍ୟ) ଭାରତ ପାଇଁ ପଦକ ଜିତିଥିଲେ।

ଜେରେମିଙ୍କ ସ୍ନାଚ୍ ରେ ପ୍ରଥମ ପ୍ରୟାସରେ ୧୩୬ କିଲୋଗ୍ରାମ ଉଠାଇଥିବାବେଳେ ଦ୍ୱିତୀୟ ପ୍ରୟାସରେ ସେ ୧୪୦ କିଲୋଗ୍ରାମ ଓଜନ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡାର ୬୭ କିଲୋଗ୍ରାମ ବର୍ଗରେ ଏକ ନୂଆ ରେକର୍ଡ ସ୍ଥାପନ କରିଥିଲେ | ତୃତୀୟ ପ୍ରୟାସରେ ସେ ୧୪୩ କିଲୋଗ୍ରାମ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ସ୍ନାଚ୍‌ରେ ସେ ଦ୍ୱିତୀୟ ମାନ୍ୟତା ନାଇଜେରିଆ ପ୍ରତିଯୋଗୀଙ୍କ ଠାରୁ ୧୦ କିଲୋଗ୍ରାମ ଆଗରେ ଥିଲେ।

କ୍ଲିନ୍ ଏବଂ ଜର୍କରେ ଜେରେମି ତାଙ୍କର ପ୍ରଥମ ପ୍ରୟାସରେ ୧୫୪ କିଲୋଗ୍ରାମ ଉଠାଇଥିଲେ ଏବଂ ଏହି ସମୟରେ ସେ ମଧ୍ୟ ଆହତ ହୋଇଥିଲେ | ତାଙ୍କର ପ୍ରଥମ ପ୍ରୟାସରେ ସେ ମୋଟ ୨୯୪ କିଲୋଗ୍ରାମ ଉଠାଇ ନୂଆ ଗେମ୍ସ ରେକର୍ଡ କରିଥିଲେ | ତାଙ୍କର ଦ୍ୱିତୀୟ ପ୍ରୟାସରେ, ଏହି ଭାରତୀୟ ଭାରୋତ୍ତୋଳକ ଆହତ ହୋଇଥିଲେ ମଧ୍ୟ ୧୬୦ କିଲୋଗ୍ରାମ ଉଠାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ | ଦ୍ୱିତୀୟ ପ୍ରୟାସ ପରେ ଜେରେମି ଆଣ୍ଠୁମାଡି ବସିପଡ଼ିଥିଲେ, କିନ୍ତୁ ଅଧିକ ଓଜନ ଉଠାଇବାର ଆନନ୍ଦ ତାଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇପଡ଼ିଥିଲେ | ଦ୍ୱିତୀୟ ପ୍ରୟାସ ପରେ ତାଙ୍କର ମୋଟ ଓଜନ ୩୦୦ କିଲୋଗ୍ରାମକୁ ବୃଦ୍ଧି ପାଇଥିଲା |

ଆଘାତ ସତ୍ତ୍ୱେ ଜେରେମି ତୃତୀୟ ପ୍ରୟାସରେ ୧୬୫ କିଲୋଗ୍ରାମ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଏଥିରେ ବିଫଳ ହୋଇଥିଲେ। ସେ ପୂର୍ବରୁ ଗୋଡରେ ଆଘାତ ପାଇଥିଲେ, କିନ୍ତୁ ତୃତୀୟ ପ୍ରୟାସ ପରେ ତାଙ୍କ ବାମ ହାତରେ ମଧ୍ୟ ଆଘାତ ଲାଗିଥିଲା।

Comments are closed.