ଭାରତର ସବୁଠୁ ବୟସ୍କ ପାଳିତ ହାତୀର ମୃତ୍ୟୁ

ତେଜପୁର (ଆସାମ): ଆସାମର ସୋନିତପୁର ଜିଲ୍ଲାରେ ଭାରତର ସବୁଠୁ ବୟସ୍କ ପାଳିତ ହାତୀର ସୋମବାର ୮୯ ବର୍ଷ ବୟସରେ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ‌ ବୟସାଧିକ ରୋଗରେ ପୀଡିତ ବିଜୁଳି ପ୍ରସାଦ ନାମକ ଏହି ବିଶାଳ ହାତୀ ୱିଲିୟମ୍ସନ୍ ମାଗାର୍ ଗ୍ରୁପର ବେହାଲି ଚା’ ବଗିଚାରେ ଭୋର୍ ପ୍ରାୟ ୩.୩୦ ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା ।

ବିଜୁଳି ପ୍ରସାଦ ସହ ଜଡ଼ିତ ପଶୁପ୍ରେମୀ, ଚା’ ବଗିଚା କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ତା’ର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।

ଏକ ଚା’ ବଗିଚା ଅଧିକାରୀ କହିଛନ୍ତି, “ବିଜୁଳି ପ୍ରସାଦ ୱିଲିୟମସନ ମାଗର ଗ୍ରୁପ୍ ପାଇଁ ଗର୍ବର ପ୍ରତୀକ ଥିଲା। ଏହାକୁ ଛୋଟବେଳୁ ପ୍ରଥମେ ବାରାଗଙ୍ଗ୍ ଚା’ ବଗିଚାକୁ ଅଣାଯାଇଥିଲା । ଯେତେବେଳେ କମ୍ପାନୀ ବାରାଗଙ୍ଗ୍ ଚା ବଗିଚାକୁ ବିକ୍ରି କରି ଦେଇଥିଲା ସେତେବେଳେ ତାକୁ ଏଠାକୁ ଅଣାଯାଇଥିଲା। ”

ସେ କହିଛନ୍ତି ଯେ ହାତୀ ଚା’ ବଗିଚାରେ ରାଜକୀୟ ଜୀବନ ବିତାଉଥିଲା। ହାତୀର ଆନୁମାନିକ ବୟସ ୮୯ ବର୍ଷ ଥିଲା।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ହାତୀ ସର୍ଜନ ଡଃ କୁଶଲ କୋୱଁର ଶର୍ମା କହିଛନ୍ତି, ବିଜୁଳି ପ୍ରସାଦ ଭାରତର ସବୁଠୁ ବୟସ୍କ ପାଳିତ ହାତୀ ଥିଲା ।

ସେ କହିଛନ୍ତି, ବଣୁଆ ଏସୀୟ ହାତୀମାନେ ସାଧାରଣତଃ ୬୨ ରୁ ୬୫ ବର୍ଷ ବଞ୍ଚନ୍ତି । ପାଳିତ ହାତୀମାନଙ୍କର ଯଦି ସଠିକ୍ ଯତ୍ନ ନିଆଯାଏ ତେବେ ସେମାନେ ୮୦ ବର୍ଷ ଯାଏଁ ବଞ୍ଚିପାରିବେ।

ଶର୍ମା କହିଛନ୍ତି, “୮-୧୦ ବର୍ଷ ପୂର୍ବେ ବିଜୁଳି ପ୍ରସାଦ ତାର ସବୁ ଦାନ୍ତ ହରାଇଥିଲା । ସେ କିଛି ଖାଇନପାରି ମରିବାକୁ ବସିଥିଲା । ମୁଁ ସେଠାକୁ ଯାଇ ତାର ଚିକିତ୍ସା କରୁଥିଲି। ମୁଁ ତା’ର ନିୟମିତ ଖାଦ୍ୟ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲି । ତାକୁ ଚାଉଳ ଏବଂ ଉଚ୍ଚ ପ୍ରୋଟିନ୍ ଜାତୀୟ ସୋୟାବିନ୍ ପରି ସିଝା ଖାଦ୍ୟ ଦେବା ଆରମ୍ଭ କଲି | ଫଳରେ ସେ ଆଉ କିଛି ବର୍ଷ ବଞ୍ଚିପାରିଥିଲା ।

ବେହଲି ଚା ବଗିଚାର ଜଣେ ଅଧିକାରୀ କହିଛନ୍ତି ଯେ ହାତୀକୁ ପ୍ରତିଦିନ ୨୫ କିଲୋଗ୍ରାମ ଖାଦ୍ୟ ଦିଆଯାଉଥିଲା ।

Comments are closed.