ଦେଶର ସବୁଠାରୁ ବୟସ୍କ ବାଘ ‘ରାଜା’ର ମୃତ୍ୟୁ

କୋଲକାତା: ଭାରତ ତଥା ବିଶ୍ବର ସବୁଠୁ ଦୀର୍ଘ ଦିନ ଜୀବିତ ରହିଥିବା ବାଘ ‘ରାଜା’ର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗର ଏସକେବି ରେସକ୍ୟୁ ସେଣ୍ଟରରେ ଭୋର୍ ପ୍ରାୟ ୩ଟାରେ ରାଜାର ମୃତ୍ୟୁ ହୋଇଥିଲା। ରଜାର ବୟସ ୨୫ ବର୍ଷ ୧୦ ମାସ ବୋଲି କୁହାଯାଇଛି | ସେ ଦେଶର ସବୁଠାରୁ ଦୀର୍ଘ ଦିନ ଧରି ଜୀବିତ ବାଘ ଥିଲା। ରେସକ୍ୟୁ ସେଣ୍ଟରର କର୍ମଚାରୀମାନେ ରାଜାର ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ତାର ମୃତଦେହରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ରାଜାର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

କୁହାଯାଉଛି ଯେ ଅଗଷ୍ଟ ୨୩ରେ, ‘ରଜା’ର ୨୭ ତମ ଜନ୍ମଦିନ ପାଳନ କରାଯାଇଥାନ୍ତା । ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ରାଜାର ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳନ କରିବାକୁ ପ୍ରସ୍ତୁତି କରାଯାଇଥିଲା। ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୨୦୦୮ ମସିହାରେ ରାଜା ନାମକ ଏହି ବାଘ ସୁନ୍ଦରବନ୍‌ରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେବେଠାରୁ ଏହାକୁ ଥଇଥାନ କେନ୍ଦ୍ରରେ ରଖାଯାଇଥିଲା | ଏହି ପ୍ରସଙ୍ଗରେ ଆଲିପୁରଦାର ଜିଲ୍ଲାପାଳ ଏସ.କେ ମୀନା କହିଛନ୍ତି ଯେ ୨୦୦୮ ମସିହାରେ ଏହି ରୟାଲ ବେଙ୍ଗଲ ଟାଇଗରକୁ ଏକ କୁମ୍ଭୀର ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲା । ଆହତ ଅବସ୍ଥାରେ ତାକୁ ସୁନ୍ଦରବନରୁ ଧରାଯାଇଥିଲା।

ରାଜାର ପୋଷ୍ଟମର୍ଟମ ମଧ୍ୟ କରାଯାଇଛି, ଯାହାର ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ବୟସାଧିକ ଯୋଗୁଁ ରାଜାର ସ୍ୱାସ୍ଥ୍ୟ ଭଲ ରହୁନଥିଲା। ରାଜାର ମୃତ୍ୟୁରେ କିନ୍ତୁ ଏଠାରେ ଶୋକର ଛାୟା ଖେଳିଯାଇଛି ଏବଂ ତା’ର ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି |

Comments are closed.