ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ଅଷ୍ଟମ ବିଜୟ

ଅହମ୍ମଦାବାଦ: ବିଶ୍ୱକପରେ ଭାରତକୁ ହରାଇବା ପାକିସ୍ତାନର ସ୍ୱପ୍ନ ପୁଣି ସ୍ୱପ୍ନରେ ରହିଯାଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡ ପ୍ରଦର୍ଶନ ଆଗରେ ଆତ୍ମସମର୍ପଣ କରିଛି ପାକିସ୍ତାନ । ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ପୁଣି ଏକ ଚିିତ୍ତାକର୍ଷକ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ସମ୍ମୁଖରେ ଖେଳାଯାଇଥିବା ବିଶ୍ୱକପର ହାଇ ଭୋଲଟେଜ ମୁକାବିଲାରେ ପାକିସ୍ତାନକୁ ସହଜରେ ୭ ୱିକେଟରେ ହରାଇ ଦେଇଛି ଭାରତ । ଏଥିସହ ୫୦ ଓଭର ବିିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଅପରାଜେୟ ଧାରାକୁ ବଜାୟ ରଖିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ରେକର୍ଡକୁ ୮-୦ କରିଛି ଭାରତ । ଚଳିିତ ବିଶ୍ୱକପରେ ଭାରତର ଏହା କ୍ରମାଗତ ତୃତୀୟ ବିଜୟ ହୋଇଥିବା ବେଳେ ରୋହିତଙ୍କ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉଠିଛି ।

ଭାରତ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ପାକିସ୍ତାନ ଭଲ ଆରମ୍ଭ କରିିବା ସତ୍ତ୍ୱେ ପରେ ନାଟକୀୟ ଭାବେ ୪୨.୫ ଓଭରରେ ମାତ୍ର ୧୯୧ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଏହି ମାମୁଲି ଟାର୍ଗେଟ୍ ଜବାବରେ ଜବରଦସ୍ତ ଫର୍ମରେ ଥିବା ରୋହିତ ଦଳକୁ ପୁଣି ଏକ ଧମାକାଦାର ଷ୍ଟାର୍ଟ ଦେଇଥିବା ବେଳେ ଭାରତ ୧୧୭ ବଲ୍ ବାକିଥାଇ ମ୍ୟାଚ୍ ଜିତିନେଇଥିଲା ।

ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷରେ ରେକର୍ଡ ଶତକ ହାସଲ କରିଥିବା ରୋହିତ ବିଶ୍ୱକପରେ ତାଙ୍କର ଅଷ୍ଟମ ଶତକରୁ ମାତ୍ର ୧୪ ରନ ପାଇଁ ବଞ୍ଚିତ ହୋଇଥିଲେ । କିନ୍ତୁ ତାଙ୍କର ଏହି ଆକର୍ଷଣୀୟ ଇନିଂସ୍ ଭାରତର ସହଜ ବିଜୟ ପାଇଁ ମୂଳଦୁଆ ପକାଇଥିଲା । ରୋହିତ ୬୩ ବଲରେ ୬ଟି ଚୌକା ଓ ୬ଟି ଛକା ସହ ବିସ୍ଫୋରକ ୮୬ ରନ୍ କରି ଆଉଟ୍ ହୋଇଥିଲେ । ରୋହିତଙ୍କ ବ୍ୟତୀତ ଶ୍ର୍ରେୟାସ୍ ଆୟର ବି ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୬୨ ବଲ୍‌ରେ ୩ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୫୩ ରନ୍ କରିଥିବା ବେଳେ କେଏଲ୍ ରାହୁଲ ୧୯ ରନ୍ କରି ନଟ୍ ଆଉଟ୍ ରହିଥିଲେ । ଡେଙ୍ଗୁ କାରଣରୁ ପ୍ରଥମ ଦୁଇଟି ମ୍ୟାଚରୁ ବଞ୍ଚିତ ହେବା ପରେ ଫେରିଥିବା ଶୁଭମାନ ଗିଲ ୧୧ଟି ବଲରୁ ୧୯ ଓ ବିରାଟ କୋହଲି ୧୮ଟି ବଲ୍‌ରୁ ୧୬ ରନ୍ କରି ଆଉଟ୍ ହୋଇଥିଲେ । ପାକିସ୍ତାନ ପକ୍ଷରୁ ଶାହିନ୍ ଶାହା ଆଫ୍ରିଦି ୨ଟି ଓ ହସନ ଅଲି ଗୋଟିଏ ୱିକେଟ୍ ନେଇଥିଲେ ।

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭାରତୀୟ ବୋଲର ସଂଘର୍ଷ କରିଥିଲେ ମଧ୍ୟ ପରେ ଲୟକୁ ଫେରି ପାକିସ୍ତାନ ବ୍ୟାଟିଂ ଲାଇନ୍ ଅପକୁ ଧରାଶାୟୀ କରିଥିଲେ । ଦଳ ପକ୍ଷରୁ ସିରାଜ, ବୁମରା, ହାର୍ଦ୍ଦିକ, କୁଲଦୀପ ଏବଂ ରବିନ୍ଦ୍ର ଜାଡେଜା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

କ୍ୟାପଟେନ ବାବର ଆଜମ ପାକିସ୍ତାନ ପକ୍ଷରୁ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୮ ବଲରେ ୭ଟି ଚୌକା ସହ ୫୦ ରନ୍ କରିଥିଲେ । ଦିନିକିଆରେ ଭାରତ ବିପକ୍ଷରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା। ମହମ୍ମଦ ରିଜଓ୍ବାନ ୪୯ ରନ୍ କରିଥିଲେ । ପାକିସ୍ତାନ ଶେଷ ୮ ଓ୍ବିକେଟ୍ ମାତ୍ର ୩୬ ରନରେ ହରାଇଥିଲା‌।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନକୁ ଦୁଇ ଓପନର ଇମାମ ଉଲ୍ ହକ୍(୩୬) ଓ ଅବଦୁଲ୍ଲା ସଫିକ୍ (୨୦) ଦୃଢ଼ ଆରମ୍ଭ ଦେଇଥିଲା । ପ୍ରଥମ ଓ୍ବିକେଟ୍ ପାଇଁ ଦୁହେଁ ୪୧ ରନ୍ ଯୋଡିଥିଲେ । ସଫିକଙ୍କୁ ଏଲବିଡବ୍ଲୁ କରାଇ ସିରାଜ୍ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ଇମାମଙ୍କୁ ଓ୍ବିକେଟ୍ କିପରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ପାଣ୍ଡ୍ୟା ଦେଇଥିଲେ ଭାରତକୁ ଦ୍ଵିତୀୟ ସଫଳତା। ହେଲେ ପାକିସ୍ତାନର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ବାବର ଓ ରିଜଓ୍ବାନ ବଡ଼ ଆରାମରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଉଭୟ ତୃତୀୟ ଓ୍ବିକେଟରେ ୮୩ ରନ୍ ଯୋଡ଼ିଥିଲେ । ପାକିସ୍ତାନ ଏକଦା ୨ ୱିକେଟ୍ ହରାଇ ୧୫୫ ରନ୍ କରି ଏକ ବହୁତ ଭଲ ସ୍ଥିତିରେ ଥିଲା । ଲାଗୁଥିଲା ବାବର-ରିଜଓ୍ବାନ୍ ଦଳକୁ ଏକ ବଡ଼ ସ୍କୋର ଆଡ଼କୁ ନେବେ । ହେଲେ ମହମ୍ମଦ ବାବର ଆଜମଙ୍କୁ ବୋଲ୍ଡ କରି ସିରାଜ୍ ଭାରତକୁ ବହୁ ‌ପ୍ରତୀକ୍ଷିତ ସଫଳତା ଦେଇଥିଲେ । ବାବର ପାଭିଲିୟନ ଲେଉଟିବା ପରେ ପାକିସ୍ତାନର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । କୁଲଦୀପ ଯାଦବ ୩୩ ତମ ଓଭରରେ ସାଉଦ ଶକିଲ (୬) ଏବଂ ଇଫତିକାର ଅହମ୍ମଦ(୪) ଙ୍କୁ ଆଉଟ୍ କରିଥିଲେ । ଏହା ପରେ ଜସପ୍ରୀତ ବୁମରା ୩୪ତମ ଓଭରରେ ମହମ୍ମଦ ରିଜୱାନ ଏବଂ ୩୬ତମ ଓଭରରେ ଶାଦବ ଖାନ(୨)ଙ୍କ ବୋଲ୍ଡ କରି ପାକିସ୍ତାନକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମହମ୍ମଦ ନୱାଜ(୪)ଙ୍କୁ ଆଉଟ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ହାସନ ଅଲି(୧୨) ଏବଂ ହାରିସ ରାଉଫ୍ (୨)ଙ୍କୁ ପ୍ୟାଭିଲିୟନ ପଠାଇ ପାକିସ୍ତାନ ଇନିଂସ୍ ଶେଷ କରିଥିଲେ ।

Comments are closed.