ମହିନ୍ଦ୍ରା ଗ୍ରୁପର ପୂର୍ବତନ ଚୟାରମ୍ୟାନ କେଶବ ମହିନ୍ଦ୍ରାଙ୍କ ୯୯ ବର୍ଷରେ ପରଲୋକ 

ନୂଆଦିଲ୍ଲୀ: ଭାରତର ସବୁଠୁ ବୟସ୍କ ଶିଳ୍ପପତି ତଥା ଆନନ୍ଦ ମହିନ୍ଦ୍ରାଙ୍କ ଦାଦା କେଶବ ମହିନ୍ଦ୍ରାଙ୍କ ବୁଧବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା ।

ଫୋର୍ବସ୍ ୨୦୨୩ ବର୍ଷର ଧନୀ ଶିଳ୍ପପତି ତାଲିକାରେ କେଶବ ମହିନ୍ଦ୍ରା ସ୍ଥାନ ପାଇଥିଲେ । ୧୬ ଜଣ ନୂଆ ଅରବପତିଙ୍କ ସହ କେଶବ ମହିନ୍ଦ୍ରା ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଥିଲେ | କେଶବ ମହିନ୍ଦ୍ରା ୪୮ ବର୍ଷ ଧରି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଥିଲେ । ୨୦୧୨ରେ ସେ ଏହି ପଦ ଛାଡିଥିଲେ। ଫୋର୍ବସ ତାଲିକା ଅନୁଯାୟୀ, କେଶବ ମହିନ୍ଦ୍ରାଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୧.୨ ବିଲିୟନ ଡଲାର ।

୧୯୪୭ ମସିହାରେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ କେଶବ ମହିନ୍ଦ୍ରା, ମହିନ୍ଦ୍ରା ଗ୍ରୁପରେ ଯୋଗ ଦେଇଥିଲେ। ଏହା ପରେ ୧୯୬୩ ମସିହାରେ ସେ ଏହି ଗ୍ରୁପର ଚେୟାରମ୍ୟାନ୍ ହୋଇଥିଲେ। ତାଙ୍କ ନେତୃତ୍ୱରେ ମହିନ୍ଦ୍ରା ଗ୍ରୁପ୍ ନୂଆ ଉଚ୍ଚତା ଛୁଇଁଥିଲା । ଦୀର୍ଘ ୪୮ ବର୍ଷ ଚୟାରମ୍ୟାନ ପଦରେ ରହିବା ପରେ ୨୦୧୨ରେ ସେ ତାଙ୍କ ପୁତୁରା ଆନନ୍ଦ ମହିନ୍ଦ୍ରାଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏହାଛଡ଼ା ସେ ଟାଟା ଷ୍ଟିଲ, ସେଲ, ଟାଟା କେମିକାଲ୍ସ, ଇଣ୍ଡିଆନ୍ ହୋଟେଲ ପରି ଅନେକ କମ୍ପାନୀରେ ବୋର୍ଡ ସ୍ତରରେ ମଧ୍ୟ କାର୍ଯ୍ୟ କରିଥିଲେ।

Comments are closed.