କରମଣ୍ଡଳ ଏକ୍ସପ୍ରେସର ଦୁଇ ଆହତ ଡ୍ରାଇଭରଙ୍କ ଅବସ୍ଥା ସ୍ଥିର

ଭୁବନେଶ୍ୱର: ବାଲେଶ୍ଵର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭର ଗୁଣନିଧି ମହାନ୍ତି ଏବଂ ତାଙ୍କ ଆସିଷ୍ଟାଣ୍ଟ ହଜାରୀ ବେହେରାଙ୍କ ଅବସ୍ଥା ସ୍ଥିର ରହିଛି। ଉଭୟ ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଛନ୍ତି ବୋଲି ରେଳବାଇ ତରଫରୁ ସୂଚନା ଦିଆଯାଇଛି।

ଉଭୟଙ୍କୁ କରମଣ୍ଡଳ ଏକ୍ସପ୍ରେସରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଶୁକ୍ରବାର ରାତିରେ ବାଲେଶ୍ବର ନିକଟ ବାହାନଗା ବଜାର ଷ୍ଟେସନ୍ ନିକଟରେ ଘଟିଥିବା ଭୟଙ୍କର ତିନି ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୨୦୦ ଯାତ୍ରୀ ଆହତ ହୋଇଛନ୍ତି।

ଦକ୍ଷିଣ ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିଆରପିଓ) ଆଦିତ୍ୟ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ, କରମଣ୍ଡଳ ଏକ୍ସପ୍ରେସର ଦୁଇ ଡ଼୍ରାଇଭରଙ୍କ ଅବସ୍ଥା ସ୍ଥିର ରହିଛି। ମହାନ୍ତିଙ୍କୁ ସୋମବାର ଆଇସିୟୁରୁ ସାଧାରଣ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି ‌।

ଉଭୟ ଟ୍ରେନ୍ ଡ୍ରାଇଭରଙ୍କ ପରିବାର ସେମାନଙ୍କର ଗୋପନୀୟତାକୁ ସମ୍ମାନ ଦେବା ସହ ଉଭୟଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ହେବାକୁ ଦିଆଯାଉ ବୋଲି ଲୋକଙ୍କୁ ଅନୁରୋଧ କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ରେଳ ଦୁର୍ଘଟଣା ପାଇଁ ଉଭୟ ଡ଼୍ରାଇଭରଙ୍କୁ ଦାୟୀ କରାଯାଇପାରିବ ନାହିଁ । କାରଣ ସେମାନେ ନିର୍ଦ୍ଧାରିତ ସ୍ପିଡ୍ ସହ ଟ୍ରେନ୍ ଚଳାଉଥିଲେ ବୋଲି ସେ କହିଛନ୍ତି ।

Comments are closed.