୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପ୍ରସ୍ତାବକୁ ଆଇଓସିର ଅନୁମୋଦନ, ଭୋଟିଂ ପରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି

ମୁମ୍ବାଇ: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି | ଶୁକ୍ରବାର ମୁମ୍ବାଇରେ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକର ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହ ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳର ପ୍ରତ୍ୟାବର୍ତ୍ତନ ଆଶା ବଢ଼ିଛି ।

ଆଇଓସି ସଭାପତି ଥୋମାସ୍ ବାକ୍ କହିଛନ୍ତି – ପାଞ୍ଚଟି ନୂଆ ଖେଳ ମଧ୍ୟରୁ କ୍ରିକେଟକୁ ସାମିଲ କରିବାକୁ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ଆୟୋଜକଙ୍କ ପ୍ରସ୍ତାବକୁ ଅଧିକାରୀମାନେ ଗ୍ରହଣ କରିଛନ୍ତି।

ତେବେ ଏହି ପାଞ୍ଚଟି ନୂଆ କ୍ରୀଡ଼ା ମଧ୍ୟରୁ କେଉଁଟା ୨୦୨୮ ଅଲିମ୍ପିକ୍ସରେ ସାମିଲ କରାଯିବ ତାହା ଭୋଟିଂ ଦ୍ବାରା ନିର୍ଣ୍ଣୟ ହେବ । ଏହା ଉପରେ ଭୋଟିଂ ଅକ୍ଟୋବର ୧୪ ରୁ ୧୬ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇଓସି ଅଧିବେଶନରେ ହେବ । ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ୫ଟି କ୍ରୀଡା ମଧ୍ୟରେ ବେସବଲ୍ / ସଫ୍ଟବଲ୍, ଫ୍ଲାଗ୍ ଫୁଟବଲ୍, ସ୍କ୍ୱାସ୍ ଏବଂ ଲାକ୍ରୋସ୍ ସହିତ କ୍ରିକେଟର ଟି-୨୦ ଫର୍ମାଟ୍ ଚୟନ କରାଯାଇଛି |

ଅଲିମ୍ପିକ୍ସରେ କ୍ରିକେଟ୍ କେବଳ ଥରେ ୧୯୦୦ ପ୍ୟାରିସ୍ ସଂସ୍କରଣରେ ଖେଳାଯାଇଥିଲା | ସେତେବେଳେ କ୍ରିକେଟ୍ ଇଭେଣ୍ଟରେ ଦୁଇଟି ଦଳ ଗ୍ରେଟ୍ ବ୍ରିଟେନ ଏବଂ ଫ୍ରାନ୍ସ ଭାଗ ନେଇଥିଲେ। ଫ୍ରାନ୍ସକୁ ହରାଇ ଗ୍ରେଟ ବ୍ରିଟେନ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ଦୁଇ ଦଳ ମଧ୍ୟରେ କେବଳ ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା ଏବଂ ଏହି ମ୍ୟାଚ୍ ଫାଇନାଲ ବିବେଚିତ ହୋଇଥିଲା |

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇଥର ୧୯୯୮ ଓ ୨୦୨୨ରେ କ୍ରିକେଟ୍ ଖେଳକୁ ସାମିଲ କରାଯାଇଥିଲା । ଏହାଛଡ଼ା ଏସିଆନ୍ ଗେମ୍ସରେ ତିନିଥର ୨୦୧୦, ୨୦୧୪ ଓ ୨୦୨୩ରେ କ୍ରିକେଟ୍ ସ୍ଥାନ ପାଇଥିଲା |

Comments are closed.