ପଶ୍ଚିମବଙ୍ଗ, ବିହାରରେ ଥମୁନି ରାମନବମୀ ହିଂସା, ଶତାଧିକ ଗିରଫ, ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ

ପାଟନା/କୋଲକାତା: ପଶ୍ଚିମବଙ୍ଗ ଏବଂ ବିହାରରେ ରାମ ନବମୀ (ମାର୍ଚ୍ଚ ୩୦) ଦିନ ଆରମ୍ଭ ହୋଇଥିବା ହିଂସା ଥମୁନାହିଁ। ଉଭୟ ରାଜ୍ୟରେ ହିଂସାକୁ ନେଇ ରାଜନୀତି ମଧ୍ୟ ଚରମରେ ପହଞ୍ଚିଛି | ରବିବାର (ଏପ୍ରିଲ ୨) ରାମ ନବମୀ ଶୋଭାଯାତ୍ରାରେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ରାମ ନବମୀ ଶୋଭାଯାତ୍ରାରେ ବିଜେପି କର୍ମକର୍ତ୍ତାମାନେ ମଧ୍ୟ ସାମିଲ ଥିଲେ। ରାମନବମୀ ଶୋଭାଯାତ୍ରାକୁ ନେଇ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଏବଂ ମହାରାଷ୍ଟ୍ରରେ ପୋଡ଼ାଜଳା ଓ ପଥରମାଡ଼ ଭଳି ଘଟଣା ସାମ୍ନାକୁ ଆସିଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିହାର ହିଂସା ମାମଲାରେ ଏପର୍ଯ୍ୟନ୍ତ ୧୦୯ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ପୋଲିସ ୫୭ ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ବିହାରର ନାଳନ୍ଦା ଜିଲ୍ଲାରେ ଏପ୍ରିଲ ୪ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ସେହିପରି ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ପରେ ରାଜ୍ୟ ସରକାର ହୁଗୁଳି ଜିଲ୍ଲାରେ ଆଜି ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି।

ହୁଗୁଳି ଜିଲ୍ଲାର ରାମ ନବମୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଶୋଭାଯାତ୍ରାରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ମଧ୍ୟ ସାମିଲ ଥିଲେ। ଏହି ଘଟଣା ପରେ ପୁଣିଥରେ ବିଜେପି-ଟିଏମସି ମଧ୍ୟରେ ଆକ୍ରମଣ ପ୍ରତ୍ୟାକ୍ରମଣ ଆରମ୍ଭ ହୋଇଯାଇଛି । ଏହାପୂର୍ବରୁ ଗତ ଗୁରୁବାର (ମାର୍ଚ୍ଚ ୩୦) ରେ ରାମ ନବମୀ ଦିନ ବଙ୍ଗଳାର ହାୱାଡାରେ ହିଂସା ଘଟିଥିଲା ।

Comments are closed.