ଟି-୨୦ ବିଶ୍ୱକପରେ ପୁଣି ବିପର୍ଯ୍ୟୟ: ଇଂଲଣ୍ଡକୁ ହରାଇଲା ଆୟର୍ଲାଣ୍ଡ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ବୁଧବାର ଆଉ ଏକ ବିପର୍ଯ୍ୟୟ ଘଟିଛି । ଆୟର୍ଲାଣ୍ଡ ୨୦୧୦ ଚାମ୍ପିୟନ୍ ଇଂଲଣ୍ଡକୁ ହରାଇ ଦେଇଛି | ଆୟର୍ଲାଣ୍ଡ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଇଂଲଣ୍ଡକୁ ୫ ରନରେ ହରାଇଛି ​​| ଆୟର୍ଲାଣ୍ଡ ଏହି ସ୍ମରଣୀୟ ବିଜୟ ସହ ନିଜ ସୁପର-୧୨ ଅଭିଯାନ ଆରମ୍ଭ କରିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ଆଣ୍ଡି ବଲବର୍ଣ୍ଣି ୬୨ ଓ ଲକ୍ରାନ ଟକର୍ ୩୪ ରନ୍ କରିଥିଲେ ।

୧୫୮ ରନର ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮୬ ରନରେ ୫ ଓ୍ବିକେଟ୍ ହରାଇ ସଙ୍କଟରେ ଫସିଥିଲା । ଇଂଲଣ୍ଡ ୧୪.୩ ଓଭରରେ ୫ ୱିକେଟ୍ ହରାଇ ୧୦୫ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ଆଉ ସମ୍ଭବ ହୋଇପାରିନଥିଲା । ଡକୱର୍ଥ-ଲୁଇସ୍ ନିୟମାନୁଯାୟୀ ଆୟର୍ଲାଣ୍ଡ ୫ ରନରେ ବିଜେତା ଘୋଷିତ ହେଇଥିଲା । ବର୍ଷା ବାଧକ ବେଳକୁ ମୋଇନ୍ ଅଲି (୨୪) ଏବଂ ଲିଆମ୍ ଲିଭିଙ୍ଗଷ୍ଟନ୍ (୧) କ୍ରିଜରେ ଥିଲେ।

Comments are closed.