ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: ଇଶାନ୍ କିଶାନଙ୍କୁ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା, ୧୦୮ଟି ସ୍ଥାନ ଉଠିଲେ କାର୍ତ୍ତିକ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୁଧବାର ଖେଳାଳିଙ୍କ ସଦ୍ୟତମ ଟି-୨୦ ମାନ୍ୟତା ପ୍ରକାଶ କରିଛି। ଏଥିରେ ଟିମ୍ ଇଣ୍ଡିଆର ଯୁବ ଓପନର୍ ଇଶାନ୍ କିଶାନ୍ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି। ଇଶାନ ଗୋଟିଏ ସ୍ଥାନ ଉଠି ଛଅ ନମ୍ବରରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ୧୦୮ ଟି ସ୍ଥାନ ଲମ୍ଫ ଦେଇଛନ୍ତି। ସେ ବର୍ତ୍ତମାନ ୮୭ ନମ୍ବରରେ ପହଞ୍ଚିଛନ୍ତି। ଟି-20 ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗର ଟପ୍-୧୦ ରେ କେବଳ ଜଣେ ଭାରତୀୟ ଅଛନ୍ତି। ସେ ହେଉଛନ୍ତି ଇଶାନ କିଶାନ | ଟି-20 ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏକ ନମ୍ବରରେ ଏବଂ ପାକିସ୍ତାନର ମହମ୍ମଦ ରିଜୱାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ନିକଟରେ ଇଶାନ ନିଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ | ଏହି ସିରିଜରେ ଇଶାନ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ | ସେ ସିରିଜର ପ୍ରଥମ ଟି-୨୦ରେ ୭୬ ରନ୍ ସଂଗ୍ରହ କରିଥିବାବେଳେ ତୃତୀୟ ମ୍ୟାଚରେ ୫୪ ରନ୍ କରିଥିଲେ।

ଭାରତୀୟ ଓପନର୍ ଇଶାନ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୪୧.୨୦ ଆଭରେଜ୍ ସହ ରନ୍ ସଂଗ୍ରହ କରି ସର୍ବାଧିକ ୨୦୬ ରନ୍ ସଂଗ୍ରହ କରିଥିଲେ । ଏହା ଟି-୨୦ ର଼୍ୟାଙ୍କିଙ୍ଗରେ ଇଶାନଙ୍କୁ ଉପକୃତ କରିଛି | ଗତ ସପ୍ତାହରେ ଇଶାନ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ୬୮ଟି ସ୍ଥାନ ଲମ୍ଫ ଦେଇ ପ୍ରଥମ ଥର ଟପ୍-୧୦ରେ ପ୍ରବେଶ କରିଥିଲେ |

ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ଇଶାନ କିଶନ ଟି-୨୦ ର଼୍ୟାଙ୍କିଙ୍ଗରେ ୭୫ ନମ୍ବରରେ ଥିଲେ। କିନ୍ତୁ ସିରିଜର ପ୍ରଥମ ତିନୋଟି ମ୍ୟାଚରେ ସେ ଧମାକାଦାର ପ୍ରଦର୍ଶନ କରିଥିଲେ । ଯାହା ଫଳରେ ୬୮ ସ୍ଥାନ ଉଠି ସାତ ନମ୍ବରରେ ପହଞ୍ଚିଥିଲେ ।

ବୋଲିଂ ଏବଂ ଅଲରାଉଣ୍ଡର ମାନ୍ୟତାରେ କୌଣସି ଭାରତୀୟ ଟପ୍-୧୦ ରେ ନାହାଁନ୍ତି। ବୋଲରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଜୋଶ ହାଜଲେଉଡ୍ ଶୀର୍ଷରେ ଅଛନ୍ତି। ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ଆଫଗାନିସ୍ତାନର ମହମ୍ମଦ ନବୀ ନମ୍ବର-୧ ସ୍ଥାନରେ ରହିଛନ୍ତି।

Comments are closed.