ଗାଜାର ସବୁଠୁ ବଡ଼ ହସ୍ପିଟାଲ୍ ଅଲଶିଫାରେ ପଶିଲା ଇସ୍ରାଏଲ୍ ସେନା

ଜେରୁଜେଲମ: ଇସ୍ରାଏଲ୍ ସୈନ୍ୟବାହିନୀ ବୁଧବାର ସକାଳେ ଗାଜାର ସବୁଠୁ ବଡ଼ ହସ୍ପିଟାଲ୍ ଅଲଶିଫାରେ ପଶିଛନ୍ତି । ସେଠାରେ ଲୁଚି ରହିଥିବା ହାମାସ୍ ଯୋଦ୍ଧାଙ୍କୁ ସରେଣ୍ଡର କରିବାକୁ କହିଛି ଇସ୍ରାଏଲ୍ ସେନା । ହସ୍ପିଟାଲ ପରିସରରେ ଇସ୍ରାଏଲ୍ ସେନା ଓ ହାମାସ୍ ଯୋଦ୍ଧାଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ମିଡ଼ିଆ ରିପୋର୍ଟରେ କୁହାଯାଇଛି । ଇସ୍ରାଏଲ୍ ଦାବି କରିଛି ଯେ ଅଲଶିଫା ହସ୍ପିଟାଲ୍ ତଳେ ହାମାସର ମୁଖ୍ୟାଳୟ ଅଛି। ଜାତିସଂଘ ସୂଚନା ଅନୁଯାୟୀ ଅଲଶିଫା ଡାକ୍ତରଖାନା ଭିତରେ ରୋଗୀ ଓ କର୍ମଚାରୀଙ୍କ ସହ ପ୍ରାୟ ୨୩୦୦ ଲୋକ ଉପସ୍ଥିତ ଅଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ବିବୃତ୍ତିରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି, ଆମେ ଅଲ୍-ଶିଫା ହସ୍ପିଟାଲରେ କିଛି ମନୋନୀତ ସ୍ଥାନରେ ହାମାସ ବିରୋଧରେ ଅପରେସନ୍ ଆରମ୍ଭ କରିଛୁ। ତେବେ ଡାକ୍ତରଖାନାରେ କେତେ ସୈନିକ ପଶିଛନ୍ତି ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ।

ଅନ୍ୟପକ୍ଷରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଦାବି କରିଛନ୍ତି ଯେ ଉତ୍ତର ଗାଜାକୁ ଇସ୍ରାଏଲ୍ ସେନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି । ତେବେ ହାମାସ ଯୋଦ୍ଧାମାନେ ଭୂତଳ ସୁଡ଼ଙ୍ଗରେ ଲୁଚି ରହିଛନ୍ତି। ଆମେ ସେହି ସୁଡ଼ଙ୍ଗ ଗୁଡ଼ିକୁ ଚିହ୍ନଟ କରିଛୁ | ଇସ୍ରାଏଲ୍ ଗାଜା ସିଟି ସେଣ୍ଟର ଓ ସଂସଦ ଉପରେ ବି କବଜା କରିଛି ବୋଲି ସେ କହିଛନ୍ତି ।

ଅକ୍ଟୋବର ୭ରେ ହାମାସର ଅତର୍କିତ ଆକ୍ରମଣ ପରେ ଇସ୍ରାଏଲ୍ ଗାଜା ଉପରେ ବୋମାମାଡ଼ ଜାରି ରଖିଛି। ଇସ୍ରାଏଲ୍ କାର୍ଯ୍ୟାନୁଷ୍ଠାନରେ ଏଯାବତ୍ ୧୦ ହଜାର ଲୋକଙ୍କ ମୃତ୍ୟୁ ହେଲାଣି ।

Comments are closed.