ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତି ଆରମ୍ଭ କଲା ଇସ୍ରୋ, କ’ଣ ଏହି ମିଶନର ଲକ୍ଷ୍ୟ ଓ କେବେ ହେବ ଲଞ୍ଚ ପଢ଼ନ୍ତୁ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପୁଣି ଚନ୍ଦ୍ରକୁ ଯିବାକୁ ଯୋଜନା କରୁଛି | ଏବେ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇସ୍ରୋ | ଜାପାନର ମହାକାଶ ସଂସ୍ଥା ‘ଜାକ୍ସା’ର ସହଭାଗିତାରେ ଏହି ମିଶନ ଲଞ୍ଚ କରିବ ଇସ୍ରୋ | ଏହି ମିଶନକୁ ‘ଲୁନାର ପୋଲାର ଏକ୍ସପ୍ଲୋରେସନ୍ ମିଶନ୍ (ଲୁପେକ୍ସ) ବା ଚନ୍ଦ୍ରଯାନ-୪ କୁହାଯାଉଛି |

ଚନ୍ଦ୍ରରେ ଜଳର ସନ୍ଧାନ କରିବା ହେଉଛି ଚନ୍ଦ୍ରଯାନ-୪ର ଲକ୍ଷ୍ୟ । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଜଳ ଥିବା ନେଇ ସଙ୍କେତ ଦେଇଥିଲେ । ଏହାଛଡ଼ା ଚନ୍ଦ୍ରଯାନ-୩ ଜରିଆରେ ଆହୁରି ଅନେକ ଗୁରୁତ୍ଵପୂର୍ଣ୍ଣ ସୂଚନା ମିଳିଥିଲା | ‘ଜାକ୍ସା’ ମୁତାବକ ‘ଲୁପେକ୍ସ’ ଚନ୍ଦ୍ର ପୃଷ୍ଠରେ ଜଳ ସହ ଅନ୍ୟ ଉତ୍ସ ଗୁଡ଼ିକର ମଧ୍ୟ ସନ୍ଧାନ କରିବ ।

ଭାରତ ଏବଂ ଜାପାନ ମିଳିତ ଭାବେ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତି କରୁଛନ୍ତି । ଏହି ମିଶନ ପାଇଁ ଇସ୍ରୋ ଲ୍ୟାଣ୍ଡର ପ୍ରସ୍ତୁତ କରୁଥିବାବେଳେ ‘ଜାକ୍ସା’ ରୋଭର ତିଆରି କରୁଛି। ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଯାନ-୪ରେ ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍ଏ) ଏବଂ ଆମେରିକାର ‘ନାସା’ ଦ୍ୱାରା ପ୍ରସ୍ତୁତ କିଛି ଯନ୍ତ୍ର ଓ ଉପକରଣ ମଧ୍ୟ ବ୍ୟବହାର କରାଯିବ ।

ଜାପାନ ସ୍ପେସ୍ ଏଜେନ୍ସି ମୁତାବକ, ୨୦୨୫ରେ ଏଚ୍୩ ରକେଟ୍ ଜରିଆରେ ଚନ୍ଦ୍ରଯାନ-୪ ଲଞ୍ଚ୍ କରାଯିବା ସମ୍ଭାବନା ରହିଛି। ରୋଭର ସହିତ ଏହାର ଓଜନ ୩୫୦ କିଲୋଗ୍ରାମରୁ ଅଧିକ ହେବ | ଏହା ୩ ମାସରୁ ଅଧିକ ସମୟ କାମ କରିବ | ରିପୋର୍ଟ ଅନୁଯାୟୀ ଚନ୍ଦ୍ରଯାନ-୪କୁ ମଧ୍ୟ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବାକୁ ଲକ୍ଷ୍ୟ ରଖାଯାଇଛି ।

Comments are closed.