ଦେଶର ବଡ଼ ଥିଙ୍କ୍ ଟ୍ୟାଙ୍କ୍ ‘ସେଣ୍ଟର୍ ଫର୍ ପଲିସି ରିସର୍ଚ୍ଚ’ ରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ଦେଶର ଏକ ପ୍ରମୁଖ ଥିଙ୍କ ଟ୍ୟାଙ୍କ୍ ଦିଲ୍ଲୀ ସ୍ଥିତ ‘ସେଣ୍ଟର୍ ଫର୍ ପଲିସି ରିସର୍ଚ୍ଚ (ସିପିଆର୍)’ ରେ ଆୟକର ବିଭାଗ ଚଢ଼ାଉ କରିଛି । ଆୟକର ବିଭାଗର ସୂତ୍ରରୁ ପ୍ରକାଶ ଯେ ଆର୍ଥିକ ଅନିୟମିତତା ଏବଂ ଫଣ୍ଡିଂ ନେଇ ଏହି ଚଢ଼ାଉ କରାଯାଉଛି। ଆୟକର ବିଭାଗର ଟିମ୍ ସିଆରପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏହାର ଯାଞ୍ଚ୍ କରୁଛନ୍ତି।

ଏହାପୂର୍ବରୁ ଆଜି ଆୟକର ବିଭାଗ ୭ଟି ରାଜ୍ୟରେ “୨୦ ରୁ ଅଧିକ ପଞ୍ଜୀକୃତ କିନ୍ତୁ ଅଣସ୍ବୀକୃତ ରାଜନୈତିକ ଦଳର ଅନୁଦାନ” ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ।

‘ସେଣ୍ଟର୍ ଫର୍ ପଲିସି ରିସର୍ଚ୍ଚ (ସିପିଆର)’ର ମୁଖ୍ୟ ତଥା ଶିକ୍ଷାବିତ୍ ପ୍ରତାପ ଭାନୁ ମେହେଟ୍ଟା କେନ୍ଦ୍ରର ବିଜେପି ସରକାରର ଜଣେ ପ୍ରମୁଖ ସମାଲୋଚକ ଭାବେ ପରିଚିତ । ସିଆରପିର ପରିଚାଳନା ବୋର୍ଡର ଚେୟାରମ୍ୟାନ୍ ହେଉଛନ୍ତି ମୀନାକ୍ଷୀ ଗୋପୀନାଥ। ରାଜନୈତିକ ବୈଜ୍ଞାନିକ ଗୋପୀନାଥ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ ଏବଂ ନୂଆଦିଲ୍ଲୀର ଲେଡି ଶ୍ରୀ ରାମ ମହାବିଦ୍ୟାଳୟର ପ୍ରିନ୍ସପାଲ ରହିଆସିଥିଲେ। ଏହାର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ହେଉଛନ୍ତି ଯାମିନୀ ଆୟର। ଏହାର ବୋର୍ଡ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ ବୈଦେଶିକ ସଚିବ ଶ୍ୟାମ ସରନ ଏବଂ ଆଇଆଇଏମ ପ୍ରଫେସର ରାମା ବିଜପୁରକର ରହିଛନ୍ତି।

ଫଣ୍ଡିଂ ନେଇ ସିପିଆର୍ ନିଜ ୱେବସାଇଟରେ କହିଛି ଯେ ଭାରତ ସରକାରଙ୍କ ମାନ୍ୟତା ପ୍ରାପ୍ତ ଏକ ଅଣ ଲାଭକାରୀ ସଂସ୍ଥା ଭାବେ ଏହାକୁ ମିଳୁଥିବା ଅନୁଦାନ ଟିକସମୁକ୍ତ ହୋଇଥାଏ । କର୍ପୋରେଟ୍, ସରକାର ଏବଂ ବହୁପକ୍ଷୀୟ ଏଜେନ୍ସି ସମେତ ବିଭିନ୍ନ ଘରୋଇ ତଥା ଆନ୍ତର୍ଜାତୀୟ ଉତ୍ସରୁ ସିପିଆର ଅନୁଦାନ ଗ୍ରହଣ କରେ | ୧୯୭୩ରେ ପ୍ରତିଷ୍ଠିତ ସିପିଆଇ ନିଜକୁ ଏକ ସ୍ବାଧୀନ ତଥା ନିରପେକ୍ଷ ଅନୁଷ୍ଠାନ ବୋଲି କହିଛି ।

Comments are closed.