ମୈନପୁରୀ ଆସନରେ ମୁହାଁମୁହିଁ ହେବେ ମୁଲାୟମଙ୍କ ଦୁଇ ବୋହୁ !

ଲକ୍ଷ୍ନୌ: ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ମୈନପୁରୀ ଲୋକସଭା ଆସନ ପାଇଁ ଉପନିର୍ବାଚନରେ ମୁଲାୟମଙ୍କ ଦୁଇ ବୋହୂ ମୁହାଁମୁହିଁ ହୋଇପାରନ୍ତି । ଏହି ଆସନରୁ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଅନ୍ୟପକ୍ଷରେ ଏହି ଆସନରୁ ବିଜେପି ମୁଲାୟମଙ୍କ ସାନବୋହୁ ଅପର୍ଣ୍ଣା ଯାଦବଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀଙ୍କୁ ସହ ଅପର୍ଣ୍ଣା ଯାଦବଙ୍କ ସାକ୍ଷାତ ପରେ ଏଭଳି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଗୁରୁବାର ସନ୍ଧ୍ୟାରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଅପର୍ଣ୍ଣା ଯାଦବ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ଅପର୍ଣ୍ଣା ଏବଂ ରାଜ୍ୟ ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ସେ ସମ୍ପର୍କରେ କୌଣସି ସୂଚନା ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟ ବିଜେପି କୋର୍ ଗ୍ରୁପର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୈନପୁରୀ ପାଇଁ ପ୍ରାର୍ଥୀଙ୍କ ନାମ ଆଲୋଚନା ହେବ। ତେବେ ଦିଲ୍ଲୀର କେନ୍ଦ୍ରୀୟ ନିର୍ବାଚନ କମିଟି ହିଁ ପ୍ରାର୍ଥୀଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।

ଅପର୍ଣ୍ଣା ଯାଦବ ଚଳିତ ବର୍ଷ ଜାନୁଆରୀ ୧୯ରେ ବିଜେପିରେ ଯୋଗ ଦେଇଥିଲେ। ଅପର୍ଣ୍ଣା ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀରୁ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ।

ମୈନପୁରୀ ଆସନରୁ ସମାଜବାଦୀ ପାର୍ଟିର ଗଡ଼ ଭାବେ ବିବେଚିତ । ମୁଲାୟମଙ୍କ ପରଲୋକ ପରେ ଏହି ଲୋକସଭା ଆସନକୁ ବଜାୟ ରଖିବା ପାଇଁ ସମାଜବାଦୀ ପାର୍ଟି ଡିମ୍ପଲ ଯାଦବଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି । ୨୦୧୨ ଏବଂ ୨୦୧୪ ରେ ଡିମ୍ପଲ୍ ଯାଦବ କନୌଜ ଆସନରୁ ସାଂସଦ ରହିଥିଲେ । ତେବେ ଡିମ୍ପଲ ୨୦୧୯ ନିର୍ବାଚନରେ କନୌଜ ଆସନରୁ ବିଜେପି ପ୍ରାର୍ଥୀ ସୁବ୍ରତ ପାଠକଙ୍କ ଠାରୁ ହାରି ଯାଇଥିଲେ ।

ମୈନପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି ଯେଉଁଥିରେ ମୈନପୁରୀ, ଭୋଗାଁବ, କିଶନି, କରହଲ ଏବଂ ଯଶୱନ୍ତନଗର ଅନ୍ତର୍ଭୁକ୍ତ। ଏହି ପାଞ୍ଚ ଆସନ ମଧ୍ୟରୁ ୨୦୨୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ତିନିଟି ଓ ବିଜେପି ଦୁଇଟି ଆସନ ପାଇଥିଲା।

Comments are closed.