ଆୟର-କିଶାନ ଚମକ: ସିରିଜ୍ ବରାବର କଲା ଭାରତ

ରାଞ୍ଚି: ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଓ ସ୍ଥାନୀୟ ହିରୋ ଇଶାନ କିଶାନଙ୍କ ଧୂଆଁଧାର ଇନିଂସ ସହାୟତାରେ ଭାରତ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଛି । ଲକ୍ଷ୍ନୌରେ ଅଳ୍ପକେ ହାରିବା ପରେ ଭାରତ ଏହି ଜବରଦସ୍ତ ବିଜୟ ସହ ତିନି ମ୍ୟାଚ ସିରିଜକୁ ୧-୧ ସ୍ଥିତିକୁ ଆଣିଛି । ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ମଙ୍ଗଳବାର ଦିଲ୍ଲୀରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ରିଜା ହେଣ୍ଡ୍ରିକ୍ସ ଓ ଏଡେନ ମାର୍କ୍ରାମଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୨୭୮ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଏହାର ଜବାବରେ ଭାରତ ୨୫ଟି ବଲ ବାକିଥାଇ ବିଜୟଲକ୍ଷ୍ୟରେ ପହଞ୍ଚିଥିଲା । ଆୟର ଓ ଇଶାନ ଦଳର ଭାରତର ଏହି ବିଜୟର ହିରୋ ଥିଲେ । ଆୟର ୧୧୧ଟି ବଲରେ ୧୫ଟି ଚୌକା ସହ ଅପରାଜିତ ୧୧୩ ରନ୍ କରିଥିଲେ । ଏହା ତାଙ୍କ ଦିନିକିଆ କ୍ୟାରିୟରର ଦ୍ୱିତୀୟ ଶତକ । ଇଶାନ ଦୁର୍ଭାଗ୍ୟ ଜନକ ଭାବେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ନିଜ ହୋମ୍ ଗ୍ରାଉଣ୍ଡରେ ଏକ ବିସ୍ଫୋରକ ପାଳି ସହ ଉପସ୍ଥିତ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ । ଇଶାନ ୮୪ଟି ବଲରେ ୪ଟି ଚୌକା ଓ ୭ଟି ଛକା ସହ ୯୩ ରନ୍ କରିଥିଲେ ।

୨୭୯ ରନର ବିଜୟଲକ୍ଷ୍ୟ ଜବାବରେ ଭାରତର କାମଚଳା ଅଧିନାୟକ ଶିଖର ଧାୱନ (୧୩) ପୁଣି ବିଫଳ ହୋଇଥିଲେ । ଶୁଭମାନ ଗିଲ (୨୮) ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଭାରତ ୪୮ ରନରେ ଦୁଇ ଓପନରଙ୍କ ୱିକେଟ୍ ହରାଇ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା । ହେଲେ ଇଶାନ ଓ ଆୟର ତୃତୀୟ ୱିକେଟ୍ ପାଇଁ ୧୬୧ ରନ୍ ଭାଗିଦାରୀ ସହ ଦଳର ବିଜୟ ସହଜ କରିଥିଲେ । ଇଶାନ ପ୍ରଥମେ ଷ୍ଟାଡିୟମ ଚାରିପଟେ ଛକା ବର୍ଷା କରି ଦଳ ଉପରୁ ଚାପ କମାଇଥିଲେ । ସେ ଆଉଟ୍ ହେବା ପରେ ଆୟର ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇବା ଦାୟିତ୍ୱ ନେଇ ସଞ୍ଜୁ ସାମସନଙ୍କ ସହ ମିଶି ଔପଚାରିକତା ପୂରଣ କରିଥିଲେ । ସାମସନ ୩୦ ରନ୍ କରି ଅପରାଜିତ ରହିଥିଲେ । ଆୟର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା। ୭ ରନ ସ୍କୋରରେ କ୍ଵିଣ୍ଟନ ଡିକକ୍‌(୫)ଙ୍କୁ ବୋଲ୍ଡ କରି ମହମ୍ମଦ ସିରାଜ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜାନେମନ ମଲାନ ଭଲ ବ୍ୟାଟିଂ କରିଥିଲେ ହେଁ ବ୍ୟକ୍ତିଗତ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ରିଜା ହେଣ୍ଡରିକ୍ସ ଏବଂ ଆଡନ ମାରକ୍ରମ ଭଲ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ହେଣ୍ଡରିକ୍ସ ଏବଂ ମାରକ୍ରମ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ୧୨୯ ରନ ଯୋଡିଥିଲେ। ହେଣ୍ଡରିକ୍ସକୁ ଆଉଟ୍ କରି ସିରାଜ ଏହି ଯୋଡି ଭାଙ୍ଗିଥିଲେ। ସେ ୭୬ ବଲ୍‌ରୁ ୯ ଚୌକା ଏବଂ ୧ ଛକା ସହ ୭୪ ରନ କରିଥିଲେ।

ପୁଣି ମାରକ୍ରମ ଏବଂ ହେନରିଚ କ୍ଲାସେନ ଚତୁର୍ଥ ଓ୍ଵିକେଟ୍‌ରେ ୪୬ ରନ ଯୋଡି ଦଳର ସ୍କୋରକୁ ୨୧୫ରେ ପହଞ୍ଚାଇଥିଲେ। କ୍ଲାସେନ ଦ୍ରୁତ ବ୍ୟାଟିଂ କରି ୨୬ ବଲ୍‌ରୁ ୩୦ ରନ କରି ଆଉଟ୍ ହୋଇଥିଲେ। ଏହି ସ୍କୋରରେ ମାରକ୍ରମ ମଧ୍ୟ ପାଭିଲିୟନ ଫେରିଥିଲେ। ସେ ୭ ଚୌକା ଏବଂ ୧ ଛକା ସହାୟତାରେ ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଓ୍ଵେନ ପାର୍ଣ୍ଣେଲ ୧୬ ରନ କରିଥିଲେ। ଶେଷ ଆଡକୁ ଡେଭିଡ୍ ମିଲର ୩୫ ରନ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୭୮ ରନ କରିଥିଲା ।

ଭାରତ ପକ୍ଷରୁ ସଫଳ ବୋଲର ଭାବେ ମହମ୍ମଦ ସିରାଜ ୧୦ ଓଭରରେ ୩୮ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। ଶାହବାଜ ଅହମ୍ମଦ ୫୪ ରନ ଦେଇ ୧, ଓ୍ଵାଶିଂଟନ ସୁନ୍ଦର ୬୦ ରନ ଦେଇ ୧, କୁଲଦୀପ ଯାଦବ ୪୯ ରନ ଦେଇ ୧ ଏବଂ ଶାର୍ଦ୍ଦୁଳ ଠାକୁର ୩୬ ରନ ଦେଇ ୧ ଓ୍ଵିକେଟ୍ ନେଇଥିଲେ ।

Comments are closed.