ମନି ଲଣ୍ଡରିଂ ମାମଲା: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅନ୍ତରୀଣ ଜାମିନ ମିଳିଛି। ତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ପଟିଆଲା ହାଉସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜ୍ୟାକଲିନଙ୍କୁ ଚାର୍ଜସିଟର ଏକ କପି ମଧ୍ୟ ଦିଆଯାଇଛି | କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ରେ କରିବେ। ଉଲ୍ଲେଖଯୋଗ୍ୟ ଯେ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଇଡି ତାଙ୍କୁ ଚାର୍ଜସିଟରେ ଜଣେ ଅଭିଯୁକ୍ତ ଭାବେ ନାମିତ କରିଥିଲା। ଇଡିର ଏହି ଚାର୍ଜସିଟ୍‌କୁ ଗ୍ରହଣ କରି କୋର୍ଟ ଜ୍ୟାକଲିନଙ୍କୁ ସେପ୍ଟେମ୍ବର ୨୬ରେ ହାଜର ହେବାକୁ କହିଥିଲେ।

ଏହାପୂର୍ବରୁ ସୁକେଶ ଚନ୍ଦ୍ରଶେଖର ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସେପ୍ଟେମ୍ବର ୧୯ରେ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପଚରାଉଚରା କରିଥିଲା। ତାଙ୍କୁ ପ୍ରାୟ ଆଠ ଘଣ୍ଟା ଧରି ଜେରା କରାଯାଇଥିଲା। ଇଓଡବ୍ଲୁ ଉଭୟ ଜ୍ୟାକଲିନ ଏବଂ ପିଙ୍କି ଇରାନୀଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲା । ଜେରା ବେଳେ ଜ୍ୟାକଲିନ ଏବଂ ପିଙ୍କିଙ୍କ ମଧ୍ୟରେ ବାକବିତଣ୍ଡା ହୋଇଥିଲା । ଦୁହେଁ ପରସ୍ପର ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ ।

ଦିଲ୍ଲୀ ପୋଲିସର ଇଓଡବ୍ଲୁ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ ପଚରାଉଚରା କରିଛି। ପୋଲିସର ସୂଚନାନୁସାରେ, ପିଙ୍କି ଇରାନୀ ହିଁ ସୁକେଶ ଚନ୍ଦ୍ରଶେଖରଙ୍କୁ ଜ୍ୟାକଲିନଙ୍କ ସହ ପରିଚୟ କରାଇଥିଲେ । ପିଙ୍କି ଇରାନୀ କହିଥିଲେ ଯେ ଜ୍ୟାକଲିନ ଜାଣିଥିଲେ ଯେ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ତଥାପି ଜ୍ୟାକଲିନ ତାଙ୍କଠାରୁ ଦାମୀ ଉପହାର ନେଇଥିଲେ। ତେବେ ପିଙ୍କି ମିଛ କହୁଛନ୍ତି ବୋଲି ଜ୍ୟାକଲିନ ଦାବି କରିଥିଲେ ।

ଏହାପୂର୍ବରୁ ଇଓଡବ୍ଲୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମ୍ୟାନେଜର ପ୍ରଶାନ୍ତଙ୍କଠାରୁ ଏକ ଡୁକାଟି ବାଇକ୍ ଜବତ କରିଥିଲେ। ଏହି ବାଇକ୍ ର ମୂଲ୍ୟ ୮ ଲକ୍ଷ ଟଙ୍କା | ଠକେଇ ଟଙ୍କାରେ ଏହି ବାଇକ୍ କିଣି ସୁକେଶ ଚନ୍ଦ୍ରଶେଖର ପ୍ରଶାନ୍ତଙ୍କୁ ଦେଇଥିଲେ।

Comments are closed.