ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି ଯେ ଏହି ଅଭିନେତ୍ରୀଙ୍କୁ ତାଙ୍କ ବଲିଉଡର କିଛି ସହକର୍ମୀ ସୁକେଶଙ୍କ ପ୍ରତି ସତର୍କ ରହିବାକୁ କହିଥିଲେ । କିନ୍ତୁ ସେ ସେମାନଙ୍କ କଥା ପ୍ରତି ଧ୍ୟାନ ଦେଇନଥିଲେ। ଏପରିକି ଜ୍ୟାକଲିନ ସୁକେଶଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ।

ଏହି ମାମଲାରେ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ବୁଧବାର ଜ୍ୟାକଲିନଙ୍କୁ ଆଠ ଘଣ୍ଟା ଧରି ପଚରାଉଚରା କରିଥିଲା। ଗୁରୁବାର ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ ଜେରା କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଜ୍ୟାକଲିନଙ୍କୁ ଜଣେ ଅଭିଯୁକ୍ତ ଭାବରେ ନାମିତ କରିଛି ‌। ସୁକେଶ ବେଆଇନ ଉପାୟରେ ଆଦାୟ କରିଥିବା ଅର୍ଥରୁ ଜ୍ୟାକଲିନଙ୍କୁ ଦାମୀ ଉପହାର ଏବଂ ଅନ୍ୟାନ୍ୟ ସୁବିଧା ଦେଉଥିଲେ ବୋଲି ଇଡି କହିଛି ।

ଏକ ରିପୋର୍ଟ ଅନୁଯାୟୀ ଜ୍ୟାକଲିନଙ୍କୁ ପଚରାଉଚରା କରିଥିବା ଇଓଡବ୍ଲୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ତାଙ୍କ ସହ କଳାକାରମାନେ ସୁକେଶଙ୍କ ପ୍ରତି ସତର୍କ ରହିବାକୁ ଜ୍ୟାକଲିନଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ସେ ସୁକେଶଙ୍କୁ ବିଭିନ୍ନ ସମୟରେ ଭେଟୁଥିଲେ ଏବଂ ତାଙ୍କ ଠାରୁ କାର ପରି ଅନେକ ଦାମୀ ଉପହାର ନେଇଥିଲେ।

ସ୍ବତନ୍ତ୍ର କମିଶନର୍ ପୋଲିସ୍ (ଇଓଡବ୍ଲୁ) ରବିନ୍ଦ୍ର ଯାଦବ ଗଣମାଧ୍ୟମକୁ କହିଛନ୍ତି ଯେ ସୁକେଶ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । କାରଣ ସେ ବେଆଇନ ଭାବେ ବିପୁଳ ସମ୍ପତ୍ତି ଠୁଳ କରିଥିଲା । ଇଓଡବ୍ଲୁ ଜ୍ୟାକଲିନ୍ ମ୍ୟାନେଜର ପ୍ରଶାନ୍ତଙ୍କ ଠାରୁ ପ୍ରାୟ ୮ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁପର ବାଇକ୍ ଡୁକାଟି ମଧ୍ୟ ଜବତ କରିଛି। ଏହି ବାଇକକୁ ସୁକେଶ ପ୍ରଶାନ୍ତଙ୍କୁ ଉପହାର ଦେଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ ଚନ୍ଦ୍ରଶେଖରଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କୁ ‘ସ୍ୱପ୍ନର ମଣିଷ’ ବୋଲି କହୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଅନ୍ୟପକ୍ଷରେ ନୋରା ଫତେହି ସୁକେଶଙ୍କୁ କେବେ ଭେଟି ନଥିଲେ। କିନ୍ତୁ ସେ ତାଙ୍କ ସହ ହ୍ବାଟସଆପ୍ ମାଧ୍ୟମରେ ଦୁଇଥର କଥା ହୋଇଥିଲେ। ସ୍ବତନ୍ତ୍ର କମିଶନର୍ (ଇଓଡବ୍ଲୁ) ରବିନ୍ଦର ଯାଦବ କହିଛନ୍ତି ଯେ, ଜ୍ୟାକଲିନଙ୍କ ପାଇଁ ଅଧିକ ଅଡ଼ୁଆ ରହିଛି । କାରଣ ସେ ତାଙ୍କ ଅପରାଧ ଇତିହାସ ଜାଣିବା ସତ୍ତ୍ୱେ ସୁକେଶଙ୍କ ସହ ସମ୍ପର୍କ ତୁଟାଇ ନଥିଲେ। ଅନ୍ୟପକ୍ଷରେ ସୁକେଶଙ୍କ ହାବଭାବରେ ସନ୍ଦେହ ହେବା ପରେ ନୋରା ଫତେହି ତାଙ୍କ ଠାରୁ ଦୂରେଇ ଯାଇଥିଲେ |

Comments are closed.