ଜୟପୁର-ମୁମ୍ବାଇ ଟ୍ରେନ୍ ଗୁଳିକାଣ୍ଡ: ଅଭିଯୁକ୍ତ ଆରପିଏଫ୍ ଯବାନ ଚାକିରିରୁ ବହିଷ୍କୃତ, ପୂର୍ବରୁ ବି ‘ହେଟ୍ କ୍ରାଇମ୍’ରେ‌ ଥିଲେ ସମ୍ପୃକ୍ତ

ନୂଆଦିଲ୍ଲୀ: ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଆରପିଏଫ୍ କନେଷ୍ଟବଳ ଚେତନ ସିଂହ ଚୌଧୁରୀଙ୍କୁ ରେଳବାଇ ଚାକିରୀରୁ ବହିଷ୍କାର କରିଛି । ଜୁଲାଇ ୩୧ରେ ଚେତନ ଚଳନ୍ତା ଟ୍ରେନରେ ତାଙ୍କ ବରିଷ୍ଠ ସହକର୍ମୀ ଟିକାରାମ ମୀନାଙ୍କ ସହ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଟିକରାମ ମୀନାଙ୍କ ବ୍ୟତୀତ ଏହି ଘଟଣାରେ ନିହତ ଯାତ୍ରୀ ହେଲେ ପାଲଘର ବାସିନ୍ଦା ଅବଦୁଲ କାଦରଭାଇ ମହମ୍ମଦ ହୁସେନ୍ ଭାନପୁରୱାଲା (୫୮), ବିହାରର ମଧୁବାଣୀ ନିବାସୀ ଅସଗର ଆବାସ ଶେଖ୍ (୪୮) ଏବଂ ସୟଦ ଏସ୍ (୪୩) । ଚୌଧୁରୀଙ୍କୁ ବହିଷ୍କୃତ କରିବା ଆଦେଶ ଅଗଷ୍ଟ ୧୪ରେ ଆରପିଏଫର ବରିଷ୍ଠ ବିଭାଗୀୟ ସୁରକ୍ଷା କମିଶନର ମୁମ୍ବାଇ ସେଣ୍ଟ୍ରାଲ ପକ୍ଷରୁ ଜାରି କରାଯାଇଥିଲା।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ କନଷ୍ଟେବଳ ଚେତନ ସିଂ ଚୌଧୁରୀ ପୂର୍ବରୁ ମଧ୍ୟ ୩ଟି ମାମଲାରେ ସମ୍ପୃକ୍ତ ଥିଲେ। ଏଥିମଧ୍ୟରେ ଆରପିଏଫ୍ ପୋଷ୍ଟରେ ଜଣେ ମୁସଲିମ ବ୍ୟକ୍ତିଙ୍କ ନିର୍ଯ୍ୟାତନା ସହ ଜଡିତ ଏକ ‘ହେଟ୍ କ୍ରାଇମ୍’ ମଧ୍ୟ ରହିଛି। ଏହି ମାମଲାର ତଦନ୍ତ ଜାରି ରହିଛି ବୋଲି ପଶ୍ଚିମ ରେଳବାଇର ଇନ୍ସପେକ୍ଟର ଜେନେରାଲ-କମ-ପ୍ରିନ୍ସିପାଲ ମୁଖ୍ୟ ସୁରକ୍ଷା କମିଶନର ପିସି ସିହ୍ନା କହିଛନ୍ତି । ୨୦୧୭ରେ ଚେତନଙ୍କୁ ଉଜୟିନୀର ଆରପିଏଫ ଡଗ୍ ସ୍କ୍ବାଡରେ ମୁତୟନ କରାଯାଇଥିଲା। ସେହି ସମୟରେ ଘଟିଥିବା ଏକ ମାମଲାରେ ମଧ୍ୟ ତଦନ୍ତ ଜାରି ରହିଛି ।

Comments are closed.