‘କୁଲିଂ ଅଫ୍ ପିରିୟଡ୍’ ନିୟମ କୋହଳ ସତ୍ତ୍ୱେ ବିଦା‌ ହେବେ ଗାଙ୍ଗୁଲି ! ବିସିସିଆଇକୁ ମିଳିପାରେ ନୂଆ ସଭାପତି

ନୂଆଦିଲ୍ଲୀ: ‘କୁଲିଂ ଅଫ୍ ପିରିୟଡ୍’ ନିୟମରେ ପରିବର୍ତ୍ତନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସମ୍ବିଧାନରେ ପ୍ରସ୍ତାବିତ ସଂଶୋଧନକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ସବୁଜ ସଙ୍କେତ ପରେ ଏବେ ଜଣେ ଅଧିକାରୀ ତାଙ୍କ ପଦରେ କ୍ରମାଗତ ୧୨ ବର୍ଷ ରହିପାରିବେ। କୋର୍ଟର ଏହି ନିଷ୍ପତ୍ତି ପରେ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ବୋର୍ଡରେ କ୍ରମାଗତ ଦ୍ୱିତୀୟ ଇନିଂସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କିନ୍ତୁ କୁଲିଂ ଅଫ୍ ପିରିୟଡ୍’ ନିୟମ କୋହଳ ହେବା ସତ୍ତ୍ୱେ ବିସିସିଆଇରୁ ଗାଙ୍ଗୁଲିଙ୍କ ଛୁଟି ହୋଇପାରେ ।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅକ୍ଟୋବର ୨୦୧୯ରେ ବିସିସିଆଇ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଜୟ ଶାହା ବିସିସିଆଇ ସଚିବ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ବିସିସିଆଇରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଗାଙ୍ଗୁଲି ଏବଂ ଅନ୍ୟ ପଦାଧିକାରୀ ବୋର୍ଡରେ ଗୋଟିଏ କାର୍ଯ୍ୟକାଳ ପୂରଣ କରିଛନ୍ତି । ବର୍ତ୍ତମାନ ଦ୍ୱିତୀୟ କାର୍ଯ୍ୟକାଳ ପୂର୍ବରୁ ସେମାନଙ୍କୁ ପୁଣି ନିର୍ବାଚନ ଲଢିବାକୁ ପଡିବ । କିନ୍ତୁ ଏଥର ନିର୍ବାଚନରେ ଗାଙ୍ଗୁଲିଙ୍କ ଜିତିବା କଷ୍ଟକର ମନେ କରାଯାଉଛି ।

ସଭାପତି ଭାବରେ ସୌରଭ ଗାଙ୍ଗୁଲି ରହିବେ କି ନାହିଁ ସେହି ନିଷ୍ପତ୍ତି ବର୍ତ୍ତମାନ କେବଳ ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ରେ ନିଆଯିବ। ବୋର୍ଡରେ ରହିବାକୁ ତାଙ୍କୁ ପୁଣି ଥରେ ନିର୍ବାଚନରେ ​​ଜିତିବାକୁ ପଡ଼ିବ। ଏକ ଜାତୀୟ ଖବରକାଗଜ ରିପୋର୍ଟ ଅନୁଯାୟୀ ୧୫ଟି ରାଜ୍ୟ ସଂଘ ଜୟ ଶାହାଙ୍କୁ ବିସିସିଆଇର ନୂଆ ସଭାପତି କରିବା ସପକ୍ଷରେ ଅଛନ୍ତି। ଅଧିକାଂଶ ସଦସ୍ୟଙ୍କ ବିଶ୍ବାସ ଯେ କରୋନା ସତ୍ତ୍ୱେ ଆଇପିଏଲର ସଫଳ ଆୟୋଜନ କରିବାରେ ଜୟ ଶାହାଙ୍କର ଏକ ବଡ଼ ଭୂମିକା ଥିଲା । ଏଭଳି ସ୍ଥିତିରେ ଜୟ ଶାହା ଏବେ ବିସିସିଆଇ ସଭାପତି ହେବାକୁ ଏକ ବଡ ଦାବିଦାର ଭାବେ ଉଭା ହୋଇଛନ୍ତି । ଏକ ରାଜ୍ୟ ସଂଘର ସଦସ୍ୟ କହିଛନ୍ତି ଯେ ଜୟ ଶାହା ବୋର୍ଡର ଦାୟିତ୍ବ ଗ୍ରହଣ କରିବାର ସମୟ ଆସିଛି ଏବଂ ତାଙ୍କୁ ସମର୍ଥନ କରିବାକୁ ସମସ୍ତ ରାଜ୍ୟ ସଂଘ ପ୍ରସ୍ତୁତ ଅଛନ୍ତି।

ଯଦି ଶାହା ବିସିସିଆଇ ସଭାପତି ହୁଅନ୍ତି ତେବେ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ଅଧ୍ୟକ୍ଷ ଭାବେ ବଡ଼ ଦାୟିତ୍ବ ମିଳିପାରେ । ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଗାଙ୍ଗୁଲି ନଭେମ୍ବରରେ ଆଇସିସି ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିପାରନ୍ତି। ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଥିବା ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ଶୀଘ୍ର ଶେଷ ହେବ। ବର୍ମିଂହାମରେ ବାର୍ଷିକ ସମ୍ମିଳନୀ ସମୟରେ ବାର୍କଲେ ଆଉ ଦୁଇ ବର୍ଷ ପଦ ବଜାୟ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ | କିନ୍ତୁ ବିସିସିଆଇ ଏହାର କିଛି ସଦସ୍ୟଙ୍କୁ ଆଇସିସିର ସର୍ବୋଚ୍ଚ ପଦରେ ବସାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।

Comments are closed.