ଝାଡ଼ଖଣ୍ଡ ସଙ୍କଟ: ଘୋଡ଼ା ବେପାର ଭୟରେ ନିଜ ବିଧାୟକମାନଙ୍କୁ ଛତିଶଗଡ଼ ପଠାଇଲା ଶାସକ ୟୁପିଏ

ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ଶାସକ ୟୁପିଏ ନିଜ ବିଧାୟକ ମାନଙ୍କୁ ଘୋଡ଼ା ବେପାରରୁ ରକ୍ଷା କରିବା ପାଇଁ ପଡୋଶୀ ଛତିଶଗଡକୁ ପଠାଉଛି ।

ସୂତ୍ରରୁ ପ୍ରକାଶ ଯେ ବିଧାୟକମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରୁ ଦୁଇଟି ବସ୍‌ରେ ରାଞ୍ଚି ବିମାନବନ୍ଦର ଅଭିମୁଖେ ଯାଉଥିବାର ଦେଖାଯାଇଥିଲା, ଯେଉଁଠାରେ ସେମାନଙ୍କ ପାଇଁ ରାୟପୁର ପାଇଁ ବିମାନ ବୁକ୍ କରାଯାଇଛି। ସୂଚନାନୁସାରେ, ସୋରେନ ନିଜେ ଏକ ବସ୍‌ରେ ଆସିଥିଲେ।

ନାମ ଗୋପନ ରଖିବା ସର୍ତ୍ତରେ ଜଣେ କଂଗ୍ରେସ ବିଧାୟକ କହିଛନ୍ତି ଯେ ଅଣ-ବିଜେପି ସରକାର ଥିବା ଛତିଶଗଡର ରାୟପୁରର ଏକ ରିସୋର୍ଟକୁ ବିଧାୟକମାନଙ୍କୁ ସ୍ଥାନାନ୍ତର କରାଯାଇପାରେ।

ସୋରେନଙ୍କ ଜେଏମଏମର ଆଶଙ୍କା ଯେ ମହାରାଷ୍ଟ୍ର ପରି ସରକାରକୁ ଭାଙ୍ଗିବା ପାଇଁ ବିଜେପି ନିଜ ଦଳର ଅବା କଂଗ୍ରେସରୁ ବିଧାୟକଙ୍କ ଶିକାର କରିବାକୁ ଉଦ୍ୟମ କରିପାରେ । ଏହି ଆଶଙ୍କା ଦୃଷ୍ଟିରୁ ବିଧାୟକମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ତତ୍ପରତା ପ୍ରକାଶ ପାଇଛି ।

ଲାଭଜନକ ପଦବୀ ମାମଲାରେ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ଘୋଷଣା କରିବା ପାଇଁ ବିଜେପିର ନିବେଦନ ପରେ ନିର୍ବାଚନ ଆୟୋଗ ଅଗଷ୍ଟ ୨୫ରେ ରାଜ୍ୟପାଳ ରମେଶ ବୈସଙ୍କ ନିକଟକୁ ନିଜ ନିଷ୍ପତ୍ତି ପଠାଇଛନ୍ତି।

ଯଦିଓ ନିର୍ବାଚନ ଆୟୋଗର ନିଷ୍ପତ୍ତି ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ, ତେବେ ଜଣେ ବିଧାୟକ ଭାବରେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିର୍ବାଚନ ଆୟୋଗ ସୁପାରିସ କରିଛନ୍ତିି ବୋଲି ଚର୍ଚ୍ଚା ହେଉଛି। ସେବେଠାରୁ ରାଜ ଭବନ ତରଫରୁ ଏ ବାବଦରେ କିଛି ଘୋଷଣା କରାଯାଇ ନାହିଁ।

Comments are closed.