ଜିଗ୍ନେଶ ମେବାନୀଙ୍କ ସହ ୧୨ ଜଣଙ୍କୁ ତିନି ମାସ ଜେଲ୍, କ’ଣ ରହିଛି ପୂରା ମାମଲା ଜାଣନ୍ତୁ

ଅହମ୍ମଦାବାଦ: ସ୍ବାଧୀନ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେବାନୀଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ ପାଞ୍ଚ ବର୍ଷ ତଳର ମାମଲାରେ ଗୁଜରାଟର ମହେସାନା କୋର୍ଟ ମେବାନୀଙ୍କୁ ତିନିମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ତାଙ୍କ ଉପରେ ଏକ ହଜାର ଟଙ୍କା ଜରିମାନା ଲଗାଯାଇଛି। ଜିଗ୍ନେଶ ମେବାନୀଙ୍କ ସହ ଏନସିପି ନେତା ରେଶମା ପଟେଲ ଏବଂ ସୁବୋଧ ପାରମାରଙ୍କୁ ମଧ୍ୟ ତିନିମାସ ଦଣ୍ଡିତ କରାଯାଇଛି। ବିନା ଅନୁମତିରେ ରାଲି କରିବା ଅଭିଯୋଗରେ ଏହି ତିନି ଜଣଙ୍କ ସହ ସମୁଦାୟ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଯେଉଁ ମାମଲାରେ ଜିଗ୍ନେଶ ମେବାନୀ, ରେଶମା ପଟେଲ ଏବଂ ସୁବୋଧ ପାରମାରଙ୍କୁ ଦଣ୍ଡିତ କରାଯାଇଛି, ତାହା ପ୍ରାୟ ପାଞ୍ଚ ବର୍ଷ ପୁରୁଣା। ୨୦୧୭ ମସିହାରେ ସେ ଏକ ‘ସ୍ୱାଧୀନତା’ ନାମରେ ଏକ ରାଲି କରିଥିଲେ | ବିନା ଅନୁମତିରେ ଏହି ରାଲି କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ବର୍ତ୍ତମାନ ମହେସାନା କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଉନାରେ ଦଲିତଙ୍କୁ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ୧୨ ଜୁଲାଇ ୨୦୧୭ରେ, ‘ସ୍ବାଧୀନତା ପଦଯାତ୍ରା’ ନାମରେ ମେହସାନା ନିକଟ ବନାସକଣ୍ଠାଧରେ ଏକ ଆନ୍ଦୋଳନର ଡାକରା ଦିଆଯାଇଥିଲା ।

ପ୍ରକାଶଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ଟୁଇଟ୍ ପାଇଁ ମେବାନୀଙ୍କୁ ଗୁଜରାଟରୁ ଆସାମ ପୋଲିସ ଗିରଫ କରିଥିଲା। ତା’ପରେ ଜିଗ୍ନେଶ ମେବାନୀଙ୍କୁ କୋର୍ଟରୁ ଜାମିନ ପାଇଥିଲେ। ତେବେ ଜଣେ ମହିଳା ପୋଲିସ ସହିତ ଅସଦାଚରଣ ଅଭିଯୋଗରେ ଜିଗ୍ନେଶଙ୍କୁ ଆସାମ ପୋଲିସ ପୁଣି ଗିରଫ କରିଥିଲା। ପରେ ଏହି ମାମଲାରେ ମଧ୍ୟ ସେ ଜାମିନ ପାଇଥିଲେ। ବର୍ତ୍ତମାନ ଆସାମ ସରକାର ଏହି ଜାମିନ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହି ମାମଲାର ଶୁଣାଣି ହେବ।

Comments are closed.