ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ବାତିଲ କରିବାକୁ ଛାତ୍ର ସଂଘକୁ ଜେଏନୟୁ ପ୍ରଶାସନର ନିର୍ଦ୍ଦେଶ

ଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପ୍ରଶାସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ବାତିଲ କରିବାକୁ ଛାତ୍ର ସଂଘକୁ ନିର୍ଦ୍ଦେଶ ଦେଇଛି।

ଜେଏନୟୁ ଛାତ୍ର ସଂଘ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ବିବିସି ଡକ୍ୟୁମେଣ୍ଟାରୀ “ଭାରତ: ମୋଦୀ କ୍ବେଶ୍ଚିନ୍”ର ସ୍କ୍ରିନିଂ ଯୋଜନା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଲୋଡ଼ାଯାଇ ନାହିଁ ବୋଲି ବିଶ୍ବବିଦ୍ୟାଳୟ ପ୍ରଶାସନ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଏହିପରି କାର୍ଯ୍ୟକଳାପ ଯୋଗୁଁ କ୍ୟାମ୍ପସରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଭଙ୍ଗ ହୋଇପାରେ ‌। ତେଣୁ ସମ୍ପୃକ୍ତ ଛାତ୍ର / ବ୍ୟକ୍ତିବିଶେଷଙ୍କୁ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ବିଶ୍ବବିଦ୍ୟାଳୟ ପ୍ରଶାସନ କହିଛି।

ଉଲ୍ଲେଖଯୋଗ୍ୟ, ୨୦୦୨ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକା ନେଇ ବିବିସି ଦୁଇ ଅଧ୍ୟାୟ ବିଶିଷ୍ଟ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି । ନିକଟରେ କେନ୍ଦ୍ର ସରକାର ଏହି ଡକ୍ୟୁମେଣ୍ଟାରୀ ଲିଙ୍କ୍ ଥାଇ ସବୁ ଟ୍ବିଟ୍ ଓ ୟୁଟ୍ୟୁବ ଭିଡ଼ିଓ ବ୍ଲକ୍ କରିଥିଲେ ।

Comments are closed.