ଇଡିର ଲୁକ୍ଆଉଟ୍ ନୋଟିସ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ସାମ୍ବାଦିକା ରାଣା ଆୟୁବ

ନୂଆଦିଲ୍ଲୀ: ତାଙ୍କୁ ବିଦେଶ ଗସ୍ତରୁ ରୋକାଯିବା ନେଇ ସାମ୍ବାଦିକ ରାଣା ଆୟୁବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ପ୍ରଧାନ ବିଚାରପତି ଭିପିନ୍ ସଙ୍ଘି ଏବଂ ଜଷ୍ଟିସ୍ ନବିନ ଚାୱଲାଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତାଙ୍କୁ ଲଣ୍ଡନ ଏବଂ ଇଟାଲୀ ଯିବାକୁ ପଡୁଥିବାରୁ ରାଣା ଆୟୁବଙ୍କ ଓକିଲ ତାଙ୍କ ମାମଲାର ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ। ଆସନ୍ତାକାଲି ତାଙ୍କର ଏକ ବିମାନ ମଧ୍ୟ ଅଛି |

କୋର୍ଟ କହିଛନ୍ତି ଯେ ଯଦି ସେ ଆଜି ସକାଳ ୧୧ ଟା ପୂର୍ବରୁ ମାମଲା ରୁଜୁ କରନ୍ତି ତେବେ ଏହାର ଶୁଣାଣି ଆସନ୍ତାକାଲି ପାଇଁ ତାଲିକାଭୁକ୍ତ ହେବ।

ମଙ୍ଗଳବାର ଦିନ ମୁମ୍ବାଇ ବିମାନ ବନ୍ଦରରେ ଅଧିକାରୀ ସାମ୍ବାଦିକ ରାଣା ଆୟୁବଙ୍କୁ ଅଟକାଇଥିଲେ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଣାଙ୍କ ବିରୋଧରେ ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିଛି, ଯେଉଁଥିପାଇଁ ତାଙ୍କୁ ବିଦେଶ ଯିବାକୁ ବାରଣ କରାଯାଇଥିଲା।

ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ଇଡି ଆୟୁବଙ୍କୁ ପଚରାଉଚରା କରିବାକୁ ଚାହୁଁଛି।

ଲଣ୍ଡନ ଯିବା ପାଇଁ ରାଣା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ, କିନ୍ତୁ ଇମିଗ୍ରେସନ ଅଧିକାରୀମାନେ ତାଙ୍କୁ ଅଟକାଇ ଥିଲେ। କିଛି ସମୟ ପରେ, ଏକ ଇଡି ଦଳ ତାଙ୍କୁ ବିମାନବନ୍ଦରରେ ପଚରାଉଚରା କରି ତଦନ୍ତରେ ଯୋଗଦେବାକୁ କହିଥିଲେ।

ସୂଚନା ଅନୁଯାୟୀ, ତାଙ୍କୁ ଏପ୍ରିଲ ୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

କରୋନା ମହାମାରୀ ସମୟରେ ଉଠାଯାଇଥିବା ଚାରିଟେବୁଲ ପାଣ୍ଠିରେ ରାଣାଙ୍କ ଅନିୟମିତତା ସମ୍ପର୍କରେ ଇଡି ଅନୁସନ୍ଧାନ କରୁଛି।

Comments are closed.