ଜୁନିୟର ହକି ବିଶ୍ୱକପ୍‌: ରୋମାଞ୍ଚକ ମ୍ୟାଚରେ ଫ୍ରାନ୍ସଠୁ ଭାରତ ୫-୪ ଗୋଲରେ ପରାସ୍ତ

ଭୁବନେଶ୍ୱର,୨୪ ।୧୧: କଳିଙ୍ଗ ଷ୍ଟାଡିୟମରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଜୁନିୟର ହକି ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ପ୍ରଥମ ମ୍ୟାଚରେ ଫ୍ରାନ୍ସ ଠାରୁ ୫-୪ ଗୋଲରେ ପରାସ୍ତ ହୋଇଯାଇଛି । ଭାରତ ପଛୁଆ ରହିବା ସତ୍ତ୍ୱେ ଶେଷ ପର୍ଯ୍ୟନ୍ତ ଲଢୁଆ ପ୍ରଦର୍ଶନ କରି ଫ୍ରାନ୍ସକୁ କଡ଼ା ଟକ୍କର ଦେଇଥିଲା । ହେଲେ ବିଜୟରୁ ବଞ୍ଚିତ ହୋଇଥିଲା । ତୃତୀୟ କ୍ୱାର୍ଟର ସୁଦ୍ଧା ଭାରତ ୫-୨ରେ ପଛୁଆ ରହିଥିଲେ ସୁଦ୍ଧା ଶେଷ କିଛି ମିନିଟରେ ଦୁଇଟି ଗୋଲ୍ ଦେଇ ପ୍ରତ୍ୟାବର୍ତ୍ତନ କରିବାକୁ ଯଥାସମ୍ଭବ ଉଦ୍ୟମ କରିଥିଲା । କିନ୍ତୁ ଫ୍ରାନ୍ସ ନିଜ ଅଗ୍ରଣୀକୁ ବଜାୟ ରଖି ବିଜୟ ସୁନିଶ୍ଚିତ କରିଥିଲା । ମ୍ୟାଚରେ ଫ୍ରାନ୍ସର ତିମୋତି କ୍ଲିମେଣ୍ଟ୍ ଓ ଭାରତର ସଞ୍ଜୟ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ । କ୍ଲିମେଣ୍ଟଙ୍କ ବ୍ୟତୀତ ଫ୍ରାନ୍ସ ତରଫରୁ ଆଉ ଦୁଇଟି ଗୋଲ୍ ଯଥାକ୍ରମେ ମାର୍କ ବେଞ୍ଜାମିନ୍ ଓ ସେଲିୟର କୋରେଣ୍ଟିନ୍ କରିଥିଲେ । ଭାରତ ପକ୍ଷରୁ ଆଉ ଏକ ଗୋଲ୍ ଦେଇଥିଲେ ଉତ୍ତମ ସିଂହ ।

ପୂର୍ବରୁ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଜୁନିୟର ହକି ବିଶ୍ୱକପକୁ ଉଦଘାଟନ କରିଥିଲେ । ଏହି ଅବସରରେ ରାଜ୍ୟର କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ସଭାପତି ନରିନ୍ଦର ବାତ୍ରା, ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ତଥା ଦିଲ୍ଲୀପ ତିର୍କୀ, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗେମ୍ବମ୍ ଓ ମହାସଚିବ ରାଜିନ୍ଦର ସିଂ ଉପସ୍ଥିତ ଥିଲେ ।
ଉଦଘାଟନୀ ଦିବସରେ ଖେଳାଯାଇଥିବା ଅନ୍ୟ ମ୍ୟାଚ୍ ଗୁଡ଼ିକରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ଜର୍ମାନୀ ୫-୨ରେ ପାକିସ୍ତାନକୁ ହରାଇଥିଲା । ଆଉ ଏକ ମ୍ୟାଚରେ କାନାଡା ବିପକ୍ଷରେ ପୋଲାଣ୍ଡ ୧-୦ରେ ବିଜୟ ହାସଲ କରିଛି ।

Comments are closed.