‘କାଳୀ’ ପୋଷ୍ଟରକୁ ନେଇ ବିବାଦ ପରେ ଲୀନା ମଣିମେକାଲାଇଙ୍କ ପୋଷ୍ଟକୁ ହଟାଇଲା ଟ୍ବିଟର

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ପରେ ଏହାର ନିର୍ମାତା ଲୀନା ମଣିମେକାଲାଇଙ୍କ ପୋଷ୍ଟକୁ ଟ୍ୱିଟର ନିଜ ପ୍ଲାଟଫର୍ମରୁ ବ୍ୟାନ୍ କରିଛି । ଲୀନା ମଣିମେକାଲାଇ ତାଙ୍କ ଡକ୍ଯୁମେଣ୍ଟାରି ଫିଲ୍ମ ‘କାଳୀ’ର ଏକ ପୋଷ୍ଟର ସେୟାର କରିଥିଲେ । ଏହାକୁ ଟ୍ବିଟର ହଟାଇଛି ।

ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ଜାରି ରହିଛି। ଏଥିରେ ମା’ କାଳୀଙ୍କୁ ସିଗାରେଟ ଟାଣୁଥିବା ଦେଖିବାକୁ ମିଳୁଛି। ଏହା ସହିତ ସମଲିଙ୍ଗୀ ସମୁଦାୟ ଏଲଜିବିଟିର ଏକ ରଙ୍ଗୀନ ପତାକା ମଧ୍ୟ ତାଙ୍କର ଗୋଟିଏ ହାତରେ ଦେଖାଯାଉଛି | ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଲୀନା ମଣିମେକଲାଇ |

କେତେକ ହିନ୍ଦୁ ସଂଗଠନ ଏହି ଚଳଚ୍ଚିତ୍ରକ ବିରୋଧ କରୁଛନ୍ତି। ସେମାନେ ଲୀନା ମଣିମେକାଲାଇଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

‘କାଳୀ’ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅନେକ ରାଜ୍ୟରେ ଲୀନା ମଣିମେକାଲାଇଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଡକ୍ୟୁମେଣ୍ଟାରୀ ‘କାଳୀ’ର ପୋଷ୍ଟର କାନାଡାରେ ଆୟୋଜିତ ‘ଅଣ୍ଡର ଦି ଟେଣ୍ଟ୍ ‘ ନାମକ ଏକ ପ୍ରୋଜେକ୍ଟ ଅଧୀନରେ ପ୍ରଦର୍ଶିତ ହୋଇଥିଲା | ଏହି ପ୍ରକଳ୍ପ ଟରୋଣ୍ଟୋରେ ଥିବା ଆଗା ଖାନ ମ୍ୟୁଜିୟମରେ ପ୍ରଦର୍ଶିତ ହୋଇଥିଲା | ଏହାକୁ ନେଇ କାନାଡ଼ାରେ ଅବସ୍ଥାପିତ ଭାରତୀୟ ହାଇ କମିଶନ ଆପତ୍ତି ଉଠାଇଥିଲେ । ଅବଶ୍ୟ ପରେ କାନାଡାର ଆଗା ଖାନ ମ୍ୟୁଜିୟମ ଏହି ଡକ୍ଯୁମେଣ୍ଟାରି ପ୍ରଦର୍ଶିତ କରିଥିବାରୁ ଦୁଃଖ ପ୍ରକାଶ କରିଥିଲା ଏବଂ ହିନ୍ଦୁ ବିଶ୍ୱାସକୁ ଆଘାତ ଦେଇଥିବାରୁ କ୍ଷମା ମାଗିଥିଲା ।

‘କାଳୀ’ର ନିର୍ମାତା ଲୀନା ମଣିମେକାଲାଇ ଦକ୍ଷିଣ ମଦୁରାଇର ଏକ ସୁଦୂର ଗାଁ ମହାରାଜାପୁରମର ବାସିନ୍ଦା | ତାଙ୍କ ପିତା ଜଣେ କଲେଜ ଅଧ୍ୟାପକ ଥିଲେ। ସେ ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଗାଁର ପ୍ରଥା ଅନୁଯାୟୀ ଝିଅମାନେ ବିବାହ ଯୋଗ୍ୟା ହୋଇଗଲେ ସେମନଙ୍କର ବିବାହ ନିଜ ମାମୁଁଙ୍କ ସହ କରିଦିଆ ଯାଉଥିଲା | ଯେତେବେଳେ ଲୀନା ଜାଣିବାକୁ ପାଇଲେ ଯେ ପରିବାର ଲୋକ ତାଙ୍କ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି, ସେ ଚେନ୍ନାଇ ପଳାଇଥିଲେ। ଏହା ପରେ ସେ ଇଞ୍ଜିନିୟରିଂ କରିଥିଲେ | ସେ ଆଇଟି କ୍ଷେତ୍ରରେ ମଧ୍ୟ କାମ କରିଥିଲେ। ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିବା ପରେ ସେ ଫିଲ୍ମ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିବାକୁ ସ୍ଥିର କରିଥିଲେ |

Comments are closed.