ମଧ୍ୟପ୍ରଦେଶ ବିପର୍ଯ୍ୟୟ ପରେ ଆଜି ଖଡ଼ଗେଙ୍କୁ ଭେଟିବେ କମଲନାଥ, ଦେଇପାରନ୍ତି ଇସ୍ତଫା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ରାଜ୍ୟ କଂଗ୍ରେସ ମୁଖ୍ୟ କମଲ ନାଥ ମଙ୍ଗଳବାର ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ସମ୍ଭାବନା ରହିଛି । ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପାଇଁ ସେ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି।

୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ୧୬୩ଟି ଆସନ ଜିତି ବିଜେପି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ କଂଗ୍ରେସ ମାତ୍ର ୬୬ଟି ସିଟ୍ ହାସଲ କରିଛି। ଗତ ମାସରେ ଏହି ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ରବିବାର ଦିନ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହୋଇଥିଲା।

ନାଥ ମଙ୍ଗଳବାର ଖଡ଼ଗେଙ୍କୁ ଭେଟିବା ସମ୍ଭାବନା ରହିଥିବା ବେଳେ ତାଙ୍କୁ ରାଜ୍ୟ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେବାକୁ କୁହାଯାଇପାରେ ବୋଲି ସୂତ୍ରରୁ ପ୍ରକାଶ । ଆସନ ଭାଗବଣ୍ଟା ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ‘ଇଣ୍ଡିଆ’ ମେଣ୍ଟର ଅନେକ ନେତାଙ୍କ ବିରୋଧରେ ନାଥଙ୍କ ମନ୍ତବ୍ୟକୁ ନେଇ ମଧ୍ୟ କଂଗ୍ରେସ ନେତୃତ୍ୱ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହାଛଡ଼ା ନାଥ ନିର୍ବାଚନ ଫଳ ଘୋଷଣା ପରେ ଦଳର ନେତା ତଥା କର୍ମୀଙ୍କୁ ନ ଭେଟି ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଥିବାରୁ ତାଙ୍କ ଉପରେ କଂଗ୍ରେସ ନେତୃତ୍ୱ ଖୁସି ନାହାଁନ୍ତି ।

Comments are closed.