ଭାରତ ବିପକ୍ଷ ଟି-୨୦ ସିରିଜରେ ଖେଳିବେନି କେନ୍ ୱିଲିୟମସନ୍, ଏହି କାରଣରୁ ଓହରିଲେ

ଜୟପୁର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ନଭେମ୍ବର ୧୭ରୁ ଆରମ୍ଭ ହେଉଛି | ଆସନ୍ତାକାଲି ଜୟପୁରରେ ସିରିଜର ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ | ଏହି ସିରିଜରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ଖେଳିବେ ନାହିଁ। ଭାରତ ବିପକ୍ଷ ଟେଷ୍ଟ ସିରିଜ ଉପରେ ଧ୍ୟାନ ଦେବା ପାଇଁ ସେ ଟି-୨୦ ସିରିଜରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଟିମ୍ ସାଉଦି ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ହେବେ।

ସୋମବାର ସନ୍ଧ୍ୟାରେ ନ୍ୟୁଜିଲାଣ୍ଡ ଦଳ ସହ ୱିଲିୟମସନ ଜୟପୁରରେ ପହଞ୍ଚିଥିଲେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ କିୱି ଦଳ ରନର୍ ଅପ୍ ହୋଇଛି। ୧୪ ନଭେମ୍ବରରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ହାତରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ପରାସ୍ତ ହୋଇ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା |

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ତିନୋଟି ମ୍ୟାଚ୍ ଜୟପୁର, ରାଞ୍ଚି ଏବଂ କୋଲକାତାରେ ଖେଳାଯିବ। ୱିଲିୟମସନଙ୍କ ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ। ସେ ସାତୋଟି ମ୍ୟାଚରେ ୨୧୬ ରନ୍ ସଂଗ୍ରହ କରିଥିଲେ। ଫାଇନାଲରେ ୱିଲିୟମସନ ଚମତ୍କାର ୮୫ ରନର ଇନିଂସ୍ ଖେଳିଥିଲେ ।

ଶେଷଥର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨୦୨୦ରେ ଟି-୨୦ ସିରିଜ୍ ଅନୁଷ୍ଠିତ ହୋଇଥିଲା | ଟିମ୍ ଇଣ୍ଡିଆ ସେହି ସିରିଜକୁ ୫-୦ରେ କ୍ଲିନ୍ ସୁଇପ୍ କରିଥିଲା । ତେବେ ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଦଳ ଭାରତ ଉପରେ ଭାରି ପଡିଥିଲା। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ହେବ | ପ୍ରଥମ ଟେଷ୍ଟ ନଭେମ୍ବର ୨୫ ରୁ ୨୯ ପର୍ଯ୍ୟନ୍ତ କାନପୁରରେ ଏବଂ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ ରୁ ୭ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ |

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପଅଧିନାୟକ), ଋତୁରାଜ ଗାଏକୱାଡ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଡବ୍ଲୁକେ), ଇଶାନ କିଶନ (ଡବ୍ଲୁକେ), ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ, ଅକ୍ଷର ପଟେଲ, ଅବେଶ ଖାନ, ଭୂବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ।

ଟି-୨୦ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଦଳ:
କେନ୍ ୱିଲିୟମସନ, ଟଡ ଆଷ୍ଟଲେ, ଟ୍ରେଣ୍ଟ ବୋଲ୍ଟ, ମାର୍କ ଚାପମାନ, ଡିଭନ୍ କନୱେ, ଲକି ଫର୍ଗୁସନ୍, ମାର୍ଟିନ୍ ଗୁପିଲ୍, କାଇଲ୍ ଜାମିସନ୍, ଆଡାମ ମିଲନେ, ଡାରିଲ ମିଚେଲ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ଟିମ୍ ସେଫର୍ଟ, ଇଶ୍ ସୋଡି, ଟିମ୍ ସାଉଦି ।

Comments are closed.