କାବେରୀ ଜଳ ବିବାଦ ନେଇ ଆଜି କର୍ଣ୍ଣାଟକ ବନ୍ଦ

ବେଙ୍ଗାଲୁରୁ: ତାମିଲନାଡୁକୁ କାବେରୀ ନଦୀ ଜଳ ଦେବା ନିଷ୍ପତ୍ତିକୁ ବିରୋଧ କରି କନ୍ନଡ ଏବଂ କୃଷକ ସଂଗଠନ ଶୁକ୍ରବାର ‘କର୍ଣ୍ଣାଟକ ବନ୍ଦ’ ଡାକରା ଦେଇଛନ୍ତି ।

ବନ୍ଦକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁର ଅଧିକାଂଶ ଆଇଟି କମ୍ପାନୀ ଏବଂ ଅନ୍ୟ ସଂସ୍ଥା ସେମାନଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କହିଛନ୍ତି।

‘କନ୍ନଡ ଓକ୍କୁଟା’ ନାମକ ଏକ ସଂସ୍ଥା ପକ୍ଷରୁ ଆହ୍ବାନ କର୍ଣ୍ଣାଟକ ବନ୍ଦର ପ୍ରଭାବ ଶୁକ୍ରବାର ବେଙ୍ଗାଲୁରୁ ସହ ରାଜ୍ୟର ଅନ୍ୟ ସହର ଗୁଡ଼ିକରେ ଦେଖିବାକୁ ମିଳିଛି।

ବେଙ୍ଗାଲୁରୁ ସହର, ମାଣ୍ଡିଆ, ମହୀଶୂର, ଚାମରାଜନଗର, ରାମନଗର ଏବଂ ହାସନ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି । ଏହି ସବୁ ଜିଲ୍ଲାରେ ସବୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି।

କାବେରୀ ଆଖପାଖ ଜିଲ୍ଲାଗୁଡ଼ିକରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି।

କନ୍ନଡ ଚଳଚ୍ଚିତ୍ର ଶିଳ୍ପ ଏହି ବନ୍ଦକୁ ସମର୍ଥନ ଜଣାଇ ସାରା ରାଜ୍ୟରେ ସନ୍ଧ୍ୟା ପର୍ଯ୍ୟନ୍ତ ସିନେମା ହଲ୍ ଶୋ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।

ସୁପ୍ରିମକୋର୍ଟ କାବେରୀ ଜଳ ପରିଚାଳନା ପ୍ରାଧିକରଣ ଏବଂ ନିୟାମକ କମିଟିର ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ କର୍ଣ୍ଣାଟକକୁ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ପଡୋଶୀ ତାମିଲନାଡୁକୁ ୩୦୦୦ କ୍ୟୁସେକ୍ ଜଳ ଛାଡିବାକୁ ପଡ଼ିବ। ଏହାକୁ ନେଇ କର୍ଣ୍ଣାଟକର କିଛି ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Comments are closed.